ଦିଗହରା ଜୀବନ, ପ୍ରତି ସେକେଣ୍ଡରେ ଜଣେ ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…

କ୍ୱିଭ୍‌, ୧୫।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଏବେ ଧ୍ୱଂସସ୍ତୁପ ପାଲଟିଛି। ଜୀବନ ବିକଳରେ ଇତିମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଶିଶୁ ରହିଛନ୍ତି। ପ୍ରତି ସେକେଣ୍ଡରେ ଜଣେ ଶିଶୁ ଶରଣାର୍ଥୀ ପାଲଟୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।

ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁସାରେ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। ଆଗାମୀ ଦିନରେ ଶରଣାର୍ଥୀଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହେବ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁସାରେ ଲୋକେ ସୁରକ୍ଷିତ ଅଞ୍ଚଳକୁ ପଳାୟନ କରିଛନ୍ତି। ଏହି ଧାରା ଜାରି ରହିଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍‌ର ହସ୍ପିଟାଲ, ସ୍କୁଲ, କଲେଜ ସହିତ ଆବାସିକ ଅଞ୍ଚଳ ଧ୍ୱଂସ ହୋଇଯାଇଛି। ଏହା ସହିତ ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ଲୋକେ ଭୋକଶୋଷରେ ସୀମା ମୁହାଁ ହେବାରେ ଲାଗିଛନ୍ତି। ସର୍ବାଧିକ ୧୫ ଲକ୍ଷରୁ ଅଧିକ ଲୋକ ପୋଲାଣ୍ଡରେ ଶରଣ ନେଇଛନ୍ତି।

ସେହିପରି ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ, ହଙ୍ଗେରୀ ଏବଂ ବେଲାରୁଷ୍‌ରେ ୟୁକ୍ରେନ୍‌ ଶରଣାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ନିଜ ନିଜ ପରିବାରଠାରୁ ଅଲଗା ହୋଇ ଯାଇଛନ୍ତି। ପଡ଼ୋଶୀ ଦେଶରେ ୟୁକ୍ରେନ୍‌ ଛାଡ଼ିଥିବା ଲୋକଙ୍କ ରହିବା ତଥା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି। ଏହା ସହିତ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ଶିକ୍ଷା ଏବଂ ନିଯୁକ୍ତ ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି।

Share