କାଠପୋଲ ଛଡା ଆଉ ବାଟ ନାହିଁ

ପାରଳାଖେମୁଣ୍ଡି,୨୬।୧୧(ଡି.ଏନ୍‌.ଏ.): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗଜପତି ଜିଲା ରାୟଗଡ଼ ବ୍ଲକ ଜଳଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଅବହେଲିତ। ଗମନାଗମନ ପାଇଁ ଗାଁକୁ ରାସ୍ତା ନାହିଁ। ଏକରି କି ଗାଁ ନିକଟରେ ଥିବା ନାଳ ଉପରେ କାଠ ତିଆରି ଅସ୍ଥାୟୀ ପୋଲ ଲୋକଙ୍କ ଏକମାତ୍ର ଭରସା।

ଜଲାଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଲୋକେ ପ୍ରତିବର୍ଷ ବର୍ଷା ଦିନ ଜଳ ବନ୍ଦୀ ହୋଇ ନିଜ ଭାଗ୍ୟକୁ ଆଦରି ଗାଁରେ ପଡିରହୁଛନ୍ତି। ବର୍ଷା କମିଲେ ଗାଁ ଲୋକେ ଶ୍ରମଦାନ କରି ଜଙ୍ଗଲରୁ କାଠ ସଂଗ୍ରହ କରି ଅସ୍ଥାୟୀ ପୋଲ ନିର୍ମାଣ କରିଥାନ୍ତି। ରୋଗୀ, ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ରାସ୍ତା ନ ଥିବାରୁ ଗାଁକୁ କୌଣସି ଗାଡି ପହଞ୍ଚି ପାରୁନାହିଁ। ପିଲାଙ୍କୁ ସ୍କୁଲ ଯିବାକୁ ହେଲେ ଏକମାତ୍ର ଚଲା ରାସ୍ତା କାଠ ପୋଲ। ଏ ନେଇ ଗଁା ଲୋକ ବାରମ୍ବାର ଜନପ୍ରତିନିଧୀ, ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏହି ସମ୍ପର୍କରେ ରାୟଗଡ଼ ବିଡିଓ ରଞ୍ଜିତ ପ୍ରତାପ ବଳଙ୍କୁ ପଚାରିବାରୁ ବିଜୁ ସେତୁ ଯୋଜନାରେ ବିଜ୍ର ନିର୍ମାଣ କରିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗକୁ କୁହାଯାଇଛି । ଖୁବ ଶୀଘ୍ର କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

 

Share