କେନ୍ଦୁଝର ସଦର ରେଞ୍ଜରେ କାଠ ମାଫିଆ ସକ୍ରିୟ

କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜରେ କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ଅନ୍ୟପକ୍ଷେ ବନ ବିଭାଗର ଅପାରଗତା ଯୋଗୁ କେନ୍ଦୁଝର ସଦର ରେଞ୍ଜର ବିଭିନ୍ନ ଜଙ୍ଗଲରେ କାଠ ମାଫିଆ ଅବାଧରେ ପଶି ମେଶିନ ସାହାର୍ଯ୍ୟରେ ଶହ ଶହ ଗଛ କାଟି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେନ୍ଦୁଝର ମୁଖ୍ୟାଳୟଠାରୁ ମାତ୍ର ୭ କି.ମି. ଦୂର ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ କେତେକ କାଠ ମାଫିଆ କଟର ମେଶିନ ସାହାଯ୍ୟରେ ଗଛ କାଟୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ। ହେଲେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କାଠ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ।

ବେଲଦା ବିଟ୍‌ ଦାୟିତ୍ୱରେ ଥିବା ବନରକ୍ଷୀ ସରୋଜ କୁମାର ପାତ୍ର ଘଟଣାସ୍ଥଳରୁ ଗୋଟିଏ କଟର ମେଶିନ ଏବଂ ବହୁ ପରିମାଣର କଟାଯାଇଥିବା କାଠ ଗଣ୍ଡି ଜବତ କରିଥିଲେ । ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ କାଠ ମାଫିଆ ସକ୍ରିୟ ରହିଛନ୍ତି।

ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲ ନିକଟରେ ମଇଦାନକେଲ ସଂରକ୍ଷିତ ଜଙ୍ଗଲ ଏବଂ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ରହିଛି । ବର୍ତ୍ତମାନ ଉକ୍ତ ଜଙ୍ଗଲ ଘଞ୍ଚ ରହିଥିବାବେଳେ ହାତୀ, ଭାଲୁ, କୁଟୁରା, ଠେକୁଆ, ବାର୍‌ହା, ଝିଙ୍କ, ବଣ ବିଲେଇ ଆଦି ବନ୍ୟଯନ୍ତ୍‌ୁ ବହୁ ସଂଖ୍ୟାରେ ରହିଛନ୍ତି। ବର୍ତ୍ତମାନ ଜଙ୍ଗଲରୁ ବେଆଇ ଗଛକଟା ଯୋଗୁ ବନ୍ୟପ୍ରାଣୀଙ୍କ ଅବାସସ୍ଥଳୀ ନଷ୍ଟ ହେବାରେ ଲାଗିଛି। ଫଳରେ ବନ୍ୟଯନ୍ତୁ ଗାଁ ମୁହାଁ ହୋଇ ଶିକାରୀ ହାବୁଡ଼ରେ ପଡୁଛନ୍ତି।

ଏପରିକି ବନ ବିଭାଗର ଅବହେଳାରୁ ଜଙ୍ଗଲ କ୍ଷୟ ହେବା ସହ ବନ୍ୟପ୍ରାଣୀ ସଙ୍କଟରେ ରହୁଥିବା ସ୍ଥାନୀୟ କେତେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। କେନ୍ଦୁଝର ବନଖଣ୍ଡରେ କାଠ ମାଫିଆମାନେ ଘୁରି ବୁଲୁଥିବା ବେଳେ କାଠ ଚୋରା କାରବାର ସହିତ ବନ୍ୟପ୍ରାଣୀ ଶୀକାର କରୁଛନ୍ତି । ଗୋଟିଏ ପଟେ ବନ ବିଭାଗ ବ୍ୟାପକ ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ଅନ୍ୟପକ୍ଷେ ମାଫିଆମାନେ ବେଧଡକ ଜଙ୍ଗଲ କାଟି ପଦା କରି ଦେଉଥିବାରୁ ପରିବେଶ କ୍ଷତିଗସ୍ତ ହେଉଛି ।

ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ ବନୀକରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏପରିକି ବିଭିନ୍ନ କାରଣରୁ ହେଉଥିବା ଜଙ୍ଗଲ ଧ୍ୱଂସ ରୋକିବା ନେଇ ସଭଳି ସମୀକ୍ଷା କରି ନ ଥିଲେ । ଫଳରେ ପରିବେଶପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଆହୁରି ଆଚମ୍ବିତ କଥା ହେଲା କେନ୍ଦୁଝର ସଦର ରେଞ୍ଜ ଟାଉନ ବିଟ୍‌ର ବନରକ୍ଷୀ ସରୋଜ କୁମାର ପାତ୍ରଙ୍କୁ ଅତିରିକ୍ତ ଭାବେ ବେଲଦା ବିଟ, ମଇଦାନକେଲ ବିଟ ଏବଂ ପଦ୍ମପୁର ମେଗା ନର୍ସରୀ ଦାୟିତ୍ୱରେ ରହିଛନ୍ତି । ଫଳରେ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ଠିକ ଭାବେ ହୋଇପାରୁନାହିଁ । ତେଣୁ ଏହାର ସୁଯୋଗ ନେଇ କାଠ ମାଫିଆମାନେ ଜଙ୍ଗଲ କାଟି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । କାହିଁକି ଏବଂ କାହାସ୍ବାର୍ଥରେ ଜଣେ ବନରକ୍ଷୀଙ୍କୁ ଏତେ ଦାୟିତ୍ୱ ଦିଆଯାଇଛି ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।