ଖଣ୍ଡପଡ଼ା,୧୦ା୩(ସ୍ବ.ପ୍ର): ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରତିବର୍ଷ ପରି ଭୁବନେଶ୍ୱରରେ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ । ରୁକୁଣା ରଥ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା ଅଞ୍ଚଳରୁ ୯ ଟି ଆମ୍ବଗଛ ଗଣ୍ଡି ଭୁବନେଶ୍ୱର ପଠାଯାଇଛି। ଖଣ୍ଡପଡ଼ା ବନବିଭାଗ ପକ୍ଷରୁ କିଆଝର ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ପରିସର ଏବଂ ଖଣ୍ଡପଡା ଏନଏସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆମ୍ବଗଛଗୁଡିକ କଟାଯିବା ପରେ ବାଇପାସ୍ ରାସ୍ତା ପାର୍ଶ୍ୱରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଅତିରିକ୍ତ ତହସିଲଦାର ଲକ୍ଷ୍ମୀକାନ୍ତ ମଲ୍ଲିକ, ବନପାଳ ଶ୍ରୀନିବାସ ଦାସ, ସିଂଘାପଡା ବନପାଳ ପ୍ରଫୁଲ୍ଲ କୁମାର ନାୟକ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଟ୍ରକ ଯୋଗେ କାଠଗଣ୍ଡିଗୁଡିକୁ ଭୁବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ଖଳାକୁ ପଠାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ହେମନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାର ରୁପେ ଶେଷ ହୋଇଥିଲା ।ପ୍ରତିବର୍ଷ ରୁକୁଣା ରଥ ନିମନ୍ତେ ଖଣ୍ଡପଡ଼ା ଅଞ୍ଚଳରୁ ଆମ୍ବ କାଠ କଟାଯିବାର ପରମ୍ପରା ଦୀର୍ଘବର୍ଷ ଧରି ପ୍ରଚଳିତ ହୋଇଆସୁଛି ।