ପୋଲିସ ଭ୍ୟାନରେ କାଠ ଚାଲାଣ

ପାରଳାଖେମୁଣ୍ଡି,୩।୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଜବତ ହୋଇଛି। ଭୋର ସମୟରେ ବନ ବିଭାଗର କର୍ମଚାରୀମାନେ ରାମସାଗର ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଟ୍ରକକୁ ଅଟକାଇ ଥିବା ବେଳେ ଗାଡ଼ିରେ କାଠ ଚାଲାଣ ହେଉଥିବା ଜାଣି ପାରିଥିଲେ। ଏଥିରେ ଗାଡ଼ି ସହ ଯାଉଥିବା ତିନି ଜଣ ପୋଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ପାରଳାଖେମୁଣ୍ଡି ରିଜର୍ଭ ପୋଲିସ ଭ୍ୟାନରେ ଚାଲାଣ ହେଉଥିଲା ଶହେରୁ ଅଧିକ କାଠ ଗଣ୍ଡି ଓ ପଟା କାଠ। ସମସ୍ତ କାଠ ଶାଗୁଆନ ବୋଲି ଜଣାପଡିଛି। ପାରଳାଖେମୁଣ୍ଡିରୁ ପୁରୀ କାଠ ଚାଲାଣ ହେଉଥିବା ସୂଚନା ମିଳିଛି। ତେବେ ଏତେ ପରିମାଣର ଶାଗୁଆନ କାଠ ପୁରୀକୁ ଚାଲାଣ ହେଉଥିବା ନେଇ ବହୁ ପ୍ରଶ୍ନ ଉଙ୍କି ମାରୁଛି। ଓଏସ୍‌ଏପି ତୃତୀୟ ବାଟାଲିୟନ ଡ୍ରାଇଭର ସହ ୪ଜଣଙ୍କୁ ଅଟକ ରଖାଯାଇଛି।