ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟିପିଛି। ଏହି ପ୍ରସଙ୍ଗ କେବଳ ମହାରାଷ୍ଟ୍ର ନୁହେଁ, ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବାବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।
ମାର୍ଚ୍ଚ ୨୫ରେ ଲକ୍‌ଡାଉନ ଜାରି ହେବା ସହ ମହାରାଷ୍ଟ୍ର ସମେତ ସାରା ଦେଶର ଧର୍ମାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଥିଲା। କିଛି ସପ୍ତାହ ହେବ ପର୍ଯ୍ୟାୟକ୍ରମେ ଅନ୍‌ଲକ କରାଯାଉଛି। ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଏବେ ମନ୍ଦିର ନ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ମହାରାଷ୍ଟ୍ର ରାଜ୍ୟପାଳ କୋଶିୟାରୀ ତାଙ୍କୁ ଚିଠି ଲେଖିଥିଲେ। ଆପଣ ହିନ୍ଦୁତ୍ୱର ଜଣେ ଦୃଢ଼ ପକ୍ଷଧର। ଏବେ ଆପଣ ‘ଧର୍ମନିରପେକ୍ଷ’ ହୋଇଗଲେ, ଯେଉଁ ଶବ୍ଦକୁ ନିଜେ ଘୃଣା କରୁଥିଲେ ବୋଲି ରାଜ୍ୟପାଳ ଉଦ୍ଧବଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଗୋଟିଏପଟେ ବାର୍‌, ରେଷ୍ଟୁରାଣ୍ଟ ଓ ବେଳାଭୂମି ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟପଟେ ଆମ ଦେବଦେବୀଙ୍କୁ ଲକ୍‌ଡାଉନରେ ରଖିଛନ୍ତି ବୋଲି କୋଶିୟାରୀ ସମାଲୋଚନା କରିଛନ୍ତି। ଏହାର ଜବାବରେ ଠାକ୍‌ରେ କହିଛନ୍ତି, ରାଜ୍ୟପାଳ ହିନ୍ଦୁତ୍ୱ କଥା କହିବା ସମ୍ପୂର୍ଣ୍ଣ ଠିକ୍‌। ତେବେ ଆମକୁ କାହାଠାରୁ ହିନ୍ଦୁତ୍ୱ ସାର୍ଟିଫିକେଟ ନେବା ଅଥବା ପାଠ ପଢ଼ିବାର ଆବଶ୍ୟକତା ନାହିଁ। ମୁମ୍ବାଇକୁ ପିଓକେ ସହ ତୁଳନା କରିଥିବା ଲୋକଙ୍କୁ ସ୍ବାଗତ କରୁଥିବା ବ୍ୟକ୍ତି ମୋ ହିନ୍ଦୁତ୍ୱ ସହ ମେଳ ଖାଉନାହାନ୍ତି ବୋଲି ଶିବସେନା ଅଧ୍ୟକ୍ଷ ଠାକ୍‌ରେ କହିଛନ୍ତି। ଦିନ ତମାମ ଉଭୟଙ୍କ ମଧ୍ୟରେ ପତ୍ର ବିନିମୟରେ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟପାଳଙ୍କ ଭାଷାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ଏକ ଦଳର ନେତାଙ୍କୁ ସମ୍ବୋଧନ କଲା ଭଳି ଭାଷା ବ୍ୟବହାର କରିଛନ୍ତି। ସମ୍ବିଧାନ ଅନୁସାରେ ଧର୍ମନିରପେକ୍ଷତା ଅର୍ଥ ସବୁ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବା। ମୁଖ୍ୟମନ୍ତ୍ରୀ ଏହାକୁ ପାଳନ କରିବେ। କିନ୍ତୁ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳ ଯେପରି ଭାଷା ବ୍ୟବହାର କରିଛନ୍ତି, ତାହା ତାଙ୍କୁ ଶୋଭା ପାଉନାହିଁ। ପ୍ରଧାନମନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେବେ ବୋଲି ଆଶା।

Share