ପୂତିଗନ୍ଧମୟ ପରିବେଶରେ ୧୫ ନମ୍ବର ୱାର୍ଡ

ନବରଙ୍ଗପୁର,୧୩।୭(ସଦାଶିବ ପ୍ରହରାଜ)ପୌରସଂସ୍ଥା ସାହି ଗଳିରୁ ଆବର୍ଜନା ଉଠାଇବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ସହରର ଆବର୍ଜନା ଆଶାଜନକକ ଭାବେ ହଟି ପାରୁନାହିଁ। ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ପୌରାଞ୍ଚଳ ୧୫ ନମ୍ବର ୱାର୍ଡବାସୀ। ଏହାକୁ ନେଇ ସ୍ଥାନୀୟ ଗବିରିଏଲଗୁଡ଼ାରେ ୱେଲଥ୍‌ ସେଣ୍ଟରରେ ଉତ୍ତେଜନା ଦେଖାଦେଇଥିଲା। ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଓ ପୌରାଧ୍ୟକ୍ଷ କୁନୁ ନାୟକ ୱେଲଥ ସେଣ୍ଟରକୁ ଆସି ଲୋକଙ୍କ ଅଭିଯୋଗକୁ ସ୍ବୀକାର କରିଥିଲେ। ସପ୍ତାହକ ମଧ୍ୟରେ ଲାଗିରହିଥିବା ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ସେ ମାନେ ପ୍ରତିଶ୍ରୁତି ଦେଇଛନ୍ତି।
ସହରର ବିଭିନ୍ନ ୱାର୍ଡରୁ ଆବର୍ଜନା ଉଠାଇବା ପରେ ଗବିରିଏଲଗୁଡ଼ାରେ ୱେଲଥ୍‌ ସେଣ୍ଟରକୁ ଅଣାଯାଉଛି। ପରେ ସେଠାରେ ପଲିଥିନ ଓ ପ୍ଲାଷ୍ଟିକ ଆଦି ଅଲଗା କରିବା ପରେ ପୋଚା ସଢା ଆବର୍ଜନାରୁ ଖତ ପ୍ରସ୍ତୁତ କରାଯାଉଛି। ଯେଉଁ ଖତ କିଲୋ ୨୦ ଟଙ୍କାରେ ବିକ୍ରି ମଧ୍ୟ ହେଉଛି। ତେବେ ୱେଲଥ ସେଣ୍ଟର ୧୫ ନମ୍ବର ୱାର୍ଡର ସାହି ମଧ୍ୟରେ ରହିଥିବାରୁ ମଶା ମାଛିର ପ୍ରାଦୁର୍ଭାବ ବଢୁଛି। ପ୍ଲାଷ୍ଟିକ ଓ ପଲିଥିନ ଅଲଗା କରାଯିବା ପରେ ଆବର୍ଜନାଗୁଡିକ ସହର ବାହାରକୁ ନେଇ ଡ଼ମ୍ପିଙ୍ଗ ୟାଡ଼ରେ ପକାଇବାକୁ ନିୟମ ରହିଛି। କିଛିମାସ ହେବ ୱେଲ୍‌ଥ ସେଣ୍ଟରକୁ ସହରର ଆବର୍ଜନା ଆସିବା ପରେ ଆଉ ଡ଼ମ୍ପିଙ୍ଗ ୟାଡ଼କୁ ଯାଉ ନାହିଁ। ସେଣ୍ଟର ମଧ୍ୟରେ ଥିବା ଆବର୍ଜନାକୁ ଟ୍ରାକ୍ଟର ମାଧ୍ୟମରେ ବୁଧବାର ଉଠାଯାଉଥିଲା। ରାସ୍ତା ଉପରେ ଆବର୍ଜନାଗୁଡିକ ପକାଇ ପକାଇ ନେଉଥବବାରୁ ସାହି ସାରା ଦୁର୍ଗନ୍ଧ ବ୍ୟାପିଥିଲା। ଲୋକେ ଅତିଷ୍ଠ ହେବାପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଓ ପୌରାଧ୍ୟକ୍ଷ କୁନୁ ନାୟକ ୱେଲଥ ସେଣ୍ଟରକୁ ଆସି ଲୋକଙ୍କ ଅଭିଯୋଗକୁ ସ୍ବୀକାର କରିଥିଲେ। ରାସ୍ତାରେ ଆବର୍ଜନା ପଡିବ ନାହିଁ। ପଡିଥିବା ଆବର୍ଜନା ତୁରନ୍ତ ସଫେଇ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share