ନୂଆଦିଲ୍ଲୀ, ୨୧।୧:ପିପିଇ କିଟ୍ ପିନ୍ଧି ଫିଲ୍ମ ଷ୍ଟାଇଲ୍ରେ ଜଣେ ଇଲେକ୍ଟ୍ରିସିଆନ୍ ଦକ୍ଷିଣ ପୂର୍ବ ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲରର୍ସରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମହମ୍ମଦ୍ ଶେଖ୍ ନୁର୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଳଙ୍କାର ଦୋକାନର ଆଗପଛରେ ୫ ଜଣ ସୁରକ୍ଷାକର୍ମୀ ଥିଲେ। ଦୋକାନ ଭିତରେ ତଥା ବାହାରେ ସିସିଟିଭି କ୍ୟାମେରା ମଧ୍ୟ ରହିଛି। ତେବେ ଅଭିଯୁକ୍ତ ଚାଲାକିରେ ଦୋକାନ ନିକଟରେ ଥିବା ବିଲ୍ଡିଂରେ ଚଢ଼ି ଛାତବାଟେ ଭିତରେ ପ୍ରବେଶ କରିଥିଲେ। ଦୋକାନରୁ ୨୫ କିଲୋଗ୍ରାମ୍ ଅଳଙ୍କାର ବୁଧବାର ପୂର୍ବାହ୍ନ ୧୧ଟାରେ ସେ ଲୁଟ୍ କରିଥିଲେ। ଲୁଟ୍ ପରେ ଅଳଙ୍କାରକୁ ବ୍ୟାଗ୍ରେ ଭର୍ତ୍ତି କରି ଅଟୋରେ ବସି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସିସିଟିଭି କ୍ୟାମେରାରୁ ଦୋକାନ ଭିତରେ ପିପିଇ କିଟ୍ ପିନ୍ଧିଥିବା ଜଣେ କେହି ବୁଲୁଥିବାର ଜଣାପଡ଼ିଥିଲା। ଏହାପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା। ଅଭିଯୁକ୍ତ ହୁବଲିର ବାସିନ୍ଦା ବୋଲି ପୋଲିସ କହିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।