ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’

ବ୍ରିଟେନ,୨୩ା୯: କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ଘୋଷଣା କରିବା ସହ ସାମାଜିକ ମିଳାମିଶା ଉପରେ କଟକଣା ଜାରିରହିବ ବୋଲି ସତର୍କ କରିଛନ୍ତି। ସେହିଭଳି ସେପ୍ଟେମ୍ବର ୨୪ରୁ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକୁ ରାତିରେ ଶୀଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଟକଣାକୁ ଅଧିକ କଡାକଡି କରାଯାଇଛି। ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାସଠାରୁ ହେବାକୁ ଥିବା କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ମଧ୍ୟ ରୋକ ଲଗାଯାଇଛି। ଫେସ୍‌ମାସ୍କ ନ ପିନ୍ଧୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ବର୍ତ୍ତମାନର କଠିନ ମୁହୂର୍ତ୍ତରେ ଏହି ଘାତକ ଭୂତାଣୁକୁ ରୋକିବାକୁ ଆବଶ୍ୟକ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜନ୍‌ସନ୍‌ ମଙ୍ଗଳବାର ବ୍ରିଟେନ୍‌ ପାର୍ଲାମେଣ୍ଟରେ କହିଛନ୍ତି।
କୋଭିଡ୍‌ ମହାମାରୀ ପାଇଁ ବ୍ରିଟେନ୍‌ରେ ଗତ ମାର୍ଚ୍ଚରେ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହାଦ୍ୱାରା ଦେଶର ସାମାଜିକ ଓ ବାଣିଜି୍ୟକ କାର୍ଯ୍ୟ ବିଶେଷଭାବେ ପ୍ରଭାବିତ ହୋଇଥିଲା। ଏପରି କି ଗତ ୧୦୦ବର୍ଷ ମଧ୍ୟରେ ବ୍ରିଟେନ୍‌ ସବୁଠାରୁ ବଡ଼ ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିଥିବା କୁହାଯାଉଛି। ତେବେ କୋଭିଡ୍‌ରେ ଅନ୍ୟ ସମସ୍ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକଠାରୁ ବ୍ରିଟେନ୍‌ରେ ସର୍ବାଧିକ ଲୋକ ମରିଛନ୍ତି। ଏଭଳିସ୍ଥଳେ ଜନସାଧାରଣଙ୍କ ଜୀବନ ରକ୍ଷା ସହ ଅର୍ଥନୀତିକୁ ସୁରକ୍ଷା ଦେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯଦି ଏବେଠାରୁ ସତର୍କତା ଅବଲମ୍ବନ କରା ନ ଯାଏ ତା’ହେଲେ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦେଶରେ ଦୈନିକ ୫୦ ହଜାର କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେବେ ବୋଲି ଆଶଙ୍କା କରାଯାଉଛି। ତେଣୁ ଦେଶକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନ କରି ଆଂଶିକଭାବେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

Share