‘ଚାପ ସତ୍ତ୍ୱେ କାର୍ଯ୍ୟ ପ୍ରଶଂସନୀୟ’

ଭୁବନେଶ୍ୱର,୬।୩ (ବ୍ୟୁରୋ):କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ଅଧିକାରୀ ସମ୍ମିଳନୀ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ଆରମ୍ଭ ହୋଇଛି। କଟକ-ଭୁବନେଶ୍ୱର ଦୈତ୍ୟନଗରୀରେ କାର୍ଯ୍ୟକରୁଥିବା ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କିପରି ବୃଦ୍ଧି ପାଇବ, ବିଭିନ୍ନ ଥାନାରେ ନିୟମିତ ଉପୁଜୁଥିବା ଅସୁବିଧା ଓ ପ୍ରତିବନ୍ଧକକୁ ପର୍ଯ୍ୟାଲୋଚନା କରାଯାଇପାରିବ କିପରି ସମାଧାନ କରାଯାଇପାରିବ ସେନେଇ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୈତ୍ୟନଗରୀରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଅଧିକ କାମ ଚାପ ରହୁଛି। ଏହାସତ୍ତ୍ୱେ ବି ଅଧିକାରୀମାନେ ଚାପମୁକ୍ତ ହୋଇ କାର୍ଯ୍ୟ କରିବାର ଯେଉଁ ପ୍ରୟାସ ରଖୁଛନ୍ତି, ତାହା ପ୍ରଶଂସାଯୋଗ୍ୟ। ଅଧିକାରୀମାନଙ୍କର ଏହି ପ୍ରୟାସ ସମାଜସେବା ପାଇଁ ଉତ୍ସର୍ଗ ହେବ। ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇ ଡିଜିପି କହିଛନ୍ତି, ବିଶେଷଜ୍ଞଙ୍କ ଦ୍ୱାରା ସର୍ବଦା ପ୍ରଶିକ୍ଷଣ ନେଇ ତଦନ୍ତ କରି ଦୋଷୀଙ୍କୁ ଦୋଷୀ ସାବ୍ୟସ୍ତ କର। ସେହିପରି ସାଇବର ଅପରାଧ ବେଶ୍‌ ଚ୍ୟାଲେଞ୍ଜ ହୋଇଥିବାରୁ ନୂଆ ନୂଆ ଜ୍ଞାନକୌଶଳରେ କିପରି ତଦନ୍ତ କରାଯିବ, ସେନେଇ କର୍ମଶାଳାରେ ସେ ଆଲୋଚନା କରିଥିଲେ। ଏଥିସହ ଥାନାକୁ ଆସୁଥିବା ଲୋକଙ୍କୁ ଗୁରୁତ୍ୱ ଦେବା ସହ ସଚ୍ଚୋଟ, ନିର୍ଭିକ ହୋଇ ନିଜ ଦାୟିତ୍ୱ ତୁଲାଇବା ପ୍ରତି ଯତ୍ନବାନ୍‌ ହେବା ଉଚିତ ବୋଲି ଡିଜିପି ବଂଶଲ କହିଥିଲେ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ଡ. ଉମାଶଙ୍କର ଦାସ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସମେତ ବହୁ ପୋଲିସ ଅଧିକାରୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

Share