କାନ୍ତାରା ୨ ଉପରେ ଆରମ୍ଭ ହେଲା କାମ, ସ୍କ୍ରିପ୍ଟ ପାଇଁ କର୍ନାଟକ ଜଙ୍ଗଲରେ ପହଞ୍ଚିଲେ ରିଷଭ ସେଟ୍ଟି

ମୁମ୍ବାଇ: ରିଷଭ ସେଟ୍ଟିଙ୍କ ବ୍ଲକବୁଷ୍ଟର ହିଟ୍ ମୁଭି କାନ୍ତାରା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ଦଖଲ କରି ଦେଇଛି । ଦର୍ଶକେ ଏହି ଫିଲ୍ମକୁ ଏତେ ଭଲପାଇବା ଦେଇଛନ୍ତି ଯେ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାରେ ଲାଗି ପଡିଲେଣି । ରିଷଭ ସେଟ୍ଟି କାନ୍ତାରା ୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲେଣି । ରିଷଭ ସେଟ୍ଟି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ ବି କରିବେ । ମିଳିଥିବା ସୂଚନା ଅନୁଯାୟୀ, ରିଷଭ ସେଟ୍ଟି ଏବେ ବହୁ ପ୍ରତିକ୍ଷିତ ଫିଲ୍ମର ସ୍କ୍ରିପଟିଂରେ ବ୍ୟସ୍ତ ହୋଇଗଲେଣି ।
ହୋମ୍ବେଲେ ଷ୍ଟୁଡିଓ ନିକଟରେ ଆଗାମୀ ୫ ବର୍ଷରେ ଫିଲ୍ମ ଓ ସିରିଜରେ ୩୦ ଅରବ ଟଙ୍କା ନିବେଶ କରିଥିବା ଦାବି କରିଛି । ହୋମ୍ବେଲ ପ୍ରଡକସନର ସଂସ୍ଥାପକ ବିଜୟ କିରଙ୍ଗଦୁର ଏକ ମିଡିଆ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ରିଷଭ ସେଟ୍ଟି କାନ୍ତାରା ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି ।
ସେ କହିଛନ୍ତି ରିଷଭ ସେଟ୍ଟି ଏବେ କାହାଣୀ ଲେଖୁଛନ୍ତି । ଫିଲ୍ମର ରିସର୍ଚ୍ଚକୁ ନେଇ ୨ ମାସ ହେବ ତାଙ୍କ ଲେଖନ ସହଯୋଗୀଙ୍କ ସହ କର୍ନାଟକର ଜଙ୍ଗଲରେ ରହିଛନ୍ତି । ବିଜୟ ଆହୁରି ମଧ୍ୟ କହିଛନ୍ତି, ଟିମ ଜୁନରେ ଶୁଟିଂ ଆରମ୍ଭ କରିପାରେ । କାରଣ ଶୁଟିଂର ଗୋଟିଏ ଭାଗରେ ବର୍ଷାର ଆବଶ୍ୟକତା ରହିଛି । ତେବେ ଆସନ୍ତା ବର୍ଷ ଏପ୍ରିଲ ବା ମେରେ ଫିଲ୍ମ ସାରା ଦେଶରେ ରିଲିଜ କରିବାର ଯୋଜନା ରହିଛି । ତେବେ କାନ୍ତାରା ୨ ର ବଜେଟ ପ୍ରଥମ ଫିଲ୍ମଠାରୁ ବହୁ ଅଧିକ ହେବ ।

Share