ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି କାମ କରିବା ସହଜ ନୁହେଁ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଓ୍ବାର୍କ ଆଟ୍‌ ହୋମ୍‌ରେ କର୍ମଚାରୀଙ୍କ ଅଧିକ ସମୟ ଅଫିସ୍‌ କାମରେ ବିତୁଛି। ଅଷ୍ଟ୍ରେଲିଆର ସଫ୍ଟଓ୍ବେର ଡେଭଲପର୍‌ କମ୍ପାନୀ ଆଟେଲସିଅନ୍‌ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୬୫ଟି ଦେଶରେ ହୋଇଥିବା ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଇସ୍ରାଏଲ୍‌ରେ କର୍ମଚାରୀମାନେ ଅଧିକ ୪୭ ମିନିଟ୍‌ ଓ୍ବାର୍କ ଆଟ୍‌ ହୋମ୍‌ରେ ବିତାଉଛନ୍ତି। ସେହିପରି ଭାରତୀୟମାନେ ଅଧିକ ୩୨ ମିନିଟ୍‌ କାମ କରୁଥିବା ଏଥିରେ ପ୍ରକାଶ ପାଇଛି। କର୍ମଜୀବୀ ମହିଳାମାନଙ୍କୁ ଓ୍ବାର୍କ ଆଟ୍‌ ହୋମ୍‌ରେ ଖାଦ୍ୟ ପ୍ରସ୍ତୁତି ପାଇଁ ସମୟ ମିଳୁ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share