
ଜି.ଉଦୟଗିରି,୬୪(ଚିନ୍ମୟ କୁମାର ସେଠୀ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଛି ଜଣେ ହିତାଧିକାରୀଙ୍କୁ। ମାତ୍ର ଘର ତିଆରି କରିବା ପାଇଁ ତାଙ୍କର ଜାଗା ନାହିଁ। ତାଙ୍କୁ ଜାଗା ଖଣ୍ଡେ ନ ମିଳିବାରୁ କାର୍ଯ୍ୟାଦେଶ ଅନୁସାରେ ଘର କେଉଁଠି କରିବେ ଏବେ ଚିନ୍ତାରେ ରହିଛନ୍ତି ହିତାଧିକାରୀ ଲକ୍ଷ୍ମୀ ପ୍ରଧାନ। କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତର କୁର୍ମିଙ୍ଗିଆ ଗ୍ରାମର ଲକ୍ଷ୍ମୀଙ୍କ ପରିବାର ନିକଟରେ ଖଣ୍ଡେ ଜାଗା ନ ଥିବାରୁ ନିଜର ୪ ଛୁଆ ଏବଂ ସ୍ବାମୀଙ୍କୁ ନେଇ ଗ୍ରାମରେ ୟା’ ତା’ ଦୁଆର ହୋଇ ଚଳୁଛନ୍ତି। ଏ ନେଇ ଜଣାଇବା ପରେ ପ୍ରଶାସନ ତାଙ୍କ ସମସ୍ୟାକୁ ବିଚାର କରି ପ୍ରଧାନମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ଘର କରିବାକୁ ଗତ ୩୦ ତାରିଖରେ କାର୍ଯ୍ୟାଦେଶ ଦେଇଛନ୍ତି। ମାତ୍ର ଘର କରିବାକୁ ଜାଗା ଖଣ୍ଡେ ନ ଥିବାରୁ କେଉଁଠି ଘର ତିଆରି କରିବେ ସେ ଚିନ୍ତାରେ ଅଛନ୍ତି ଲକ୍ଷ୍ମୀ ଓ ତାଙ୍କ ପରିବାର। ସରକାରଙ୍କ ତରଫରୁ ଖଣ୍ଡେ ଜାଗା ଦେବା ପାଇଁ ବାରମ୍ବାର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି ।