Categories: ଖେଳ

ମୁଣ୍ଡ ତଳକୁ ରଖି କାମ କର, କାହିଁକି ଏମିତି କହିଲେ ବିରାଟ କୋହଲି

ଚେନ୍ନାଇ,୩।୨: ଆସନ୍ତା ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଭ୍ୟାସ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଟେଷ୍ଟ ପରେ ପୈତୃକ ଛୁଟିରେ ଯାଇଥିବା ଅଧିନାୟକ ବିରାଟ କୋହଲି ପୁଣି ଥରେ କାର୍ଯ୍ୟକୁ ଫେରିଛନ୍ତି। ତାଙ୍କ ଝିଅ ଜନ୍ମ ପରେ ସେ ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି ଏବଂ ଚେନ୍ନାଇରେ ବାଧ୍ୟତାମୂଳକ ୬ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ସମାପ୍ତ କରିବା ପରେ ଅଭ୍ୟାସ କରୁଛନ୍ତି। ବିରାଟ କୋହଲି ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ନେଟ୍ସ ଅଭ୍ୟାସରେ ବ୍ୟାଟିଂ କରୁଥିବାବେଳେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଶେୟାରରେ ସେ କ୍ୟାପସନ ଦେଇଛନ୍ତି – ‘ମୁଣ୍ଡ ତଳକୁ ରଖ ଏବଂ କାମ ଜାରି ରଖ।’ ୮୭ ଟେଷ୍ଟରେ ୨୭ ଶତକ ହାସଲ କରିଥିବା ବିରାଟ ଗତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ବ୍ୟାଟିଂରେ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨-୧ ଗୋଲରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆରେ ଆଡିଲେଡ ବିପକ୍ଷ ପ୍ରଥମ ଇନିଂସରେ ୭୪ ସ୍କୋର କରି ବିରାଟ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ଦେଇଥିଲେ। କିନ୍ତୁ ଏହି ଟେଷ୍ଟରେ ଭାରତ ୮ ଉଇକେଟରେ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଏବେ ବିରାଟ କୋହଲିଙ୍କ ଆଖି ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ ଉପରେ ରହିଛି।

Share