ଚଣ୍ଡିଖୋଲ,୧୯।୪(ଡି.ଏନ.ଏ.): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ ନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାତ୍ର ଜାତୀୟ ରାଜପଥ ୧୬ ନଂ. ଓ ୫୩ ନଂ.ରେ ଶ୍ରମିକମାନେ ପୂର୍ବାହ୍ନ ୧୧ଟା ପରେ ଟାଣ ଖରାରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ଜାତୀୟ ରାଜପଥ ଦେଇ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ କାହାର ନଜର ପଡୁ ନ ଥିବା ଅଭିଯୋଗ ହୋଇଛି। ୧୬ନଂ. ଜାତୀୟ ରାଜପଥର ଚଣ୍ଡିଖୋଲରୁ ବଡ଼ଚଣା ଛକ ମଧ୍ୟରେ ମଙ୍ଗଳବାର ରାସ୍ତା ସଫେଇ କାର୍ଯ୍ୟ ଚାଲୁଥିଲାବେଳେ ୫୩ ନଂ. ଜାତୀୟ ରାଜପଥର ଭାକୁଡ଼ ଛକ ନିକଟରେ ମଧ୍ୟ ରାସ୍ତା ସଫେଇ କାର୍ଯ୍ୟ ଚାଲୁଥିଲା। ଏହି ରାଜପଥ ମରାମତି କାମ ନେଇଥିବା ଠିକାଦାରମାନେ କିଭଳି ଶ୍ରମିକମାନଙ୍କୁ ଟାଣ ଖରାରେ କାମରେ ନିୟୋଜିତ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।