ନିଯୁକ୍ତି ଦାବି କଲେ ଛଟେଇ ଶ୍ରମିକ

ତାଳଚେର,୧୮।୧୦(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲର ପୁରୁଣା ପ୍ଲାଣ୍ଟରେ କାର୍ଯ୍ୟରତ ତାଳଚେର ପୌରାଞ୍ଚଳର ଶ୍ରମିକଙ୍କୁ ଛଟେଇ କରାଯାଇଥିଲା। ସମ୍ପୃକ୍ତ ଶ୍ରମିକମାନେ ପୁନଃନିଯୁକ୍ତି ଦାବି କରିଛନ୍ତି। ଏ ନେଇ ସୋମବାର ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ପୁରୁଣା ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ସମ୍ପୃକ୍ତ ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଛଟେଇ କରିଥିଲେ। ଏହା ପରେ ସେମାନେ ଥର୍ମାଲ ଏକତା ମଞ୍ଚ ଜରିଆରେ ନିଯୁକ୍ତି ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ଏନ୍‌ଟିପିସି/ଟିଟିପିଏସ୍‌ର ପୁରୁଣା ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ନିକଟରେ ତାଳଚେର ଥର୍ମାଲର ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାପରେ ଛଟେଇ କର୍ମଚାରୀଙ୍କ ମନରେ ପୁନଃନିଯୁକ୍ତି ମିଳିବା ନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ପ୍ରଶାସନିକ ନିଷ୍ପତ୍ତିକୁ ଅବମାନନା କରି ଏନ୍‌ଟିପିସି/ଟିଟିପିଏସ୍‌ର ଏଚ୍‌ଆର କର୍ତ୍ତୃପକ୍ଷ ତାଳଚେର ପୌରାଞ୍ଚଳର ଠିକା ଶ୍ରମିକଙ୍କୁ ବାଦ୍‌ ଦେଇ ପ୍ଲାଣ୍ଟ ସଂଲଗ୍ନ ଅନ୍ୟ ୪ ପଞ୍ଚାୟତର ୪୪୮ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ତାଲିକା ପ୍ରସ୍ତୁତ କରିଛନ୍ତି। ଏହା ଜଣାପଡ଼ିବା ପରେ ଛଟେଇର ଶିକାର ହୋଇଥିବା ପୌରାଞ୍ଚଳର ଠିକା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।