ଲୋଇସିଂହା,୧୬।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ନୁନିଆପାଲି ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହେମେନ୍ତ ସାହୁ(୪୫)। ଗ୍ରାମବାସୀ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଲୋଇସିଂହା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଘଟଣା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ବନ ବିଭାଗକୁ ସୂଚନା ଦେଇଥିଲେ। ହେଲେ ବନ ବିଭାଗ ପହଞ୍ଚି ନ ଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇଗଣ ବାରିକୁ କାମ କରିବାକୁ ଯାଇଥିଲେ। ହେଲେ ସେ ଶୌଚ ହେବାକୁ ବିଲଠାରୁ ୫ଶହ ମିଟର ଦୁରରେ ଥିବା ପୋଖରୀକୁ ଯାଇଥିଲେ । ସେଠାରେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା। ଫଳରେ ସେ ପୋଖରୀର ଏକ ଗାତରେ ପଡିଯାଇଥିଲେ । ହାତୀ ତାଙ୍କୁ ଦେଖି ନ ପାରିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।