କଳିଙ୍ଗନଗର,୭।୧୦(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୈଥାନ କାରଖାନାରେ ଗତ ମଙ୍ଗଳବାରଠାରୁ ଶ୍ରମିକ ଆନ୍ଦୋଳନ ଜାରି ରହିଛି । ଦରମା ପ୍ରଦାନରେ ତାରତମ୍ୟ ରହୁଥିବା ଅଭିଯୋଗ କରି ଶ୍ରମିକମାନେ କାମ ବନ୍ଦ ରଖିଛନ୍ତି । ଆନ୍ଦୋଳନ କାରଣରୁ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବୁଧବାର କାରଖାନା ପରିଚାଳନା କର୍ତ୍ତୃପକ୍ଷ ନୋ ୱାର୍କ ନୋ ପେ ନିୟମ ଲାଗୁ କରିଥିବା ସୂଚନା ମିଳିଛି। ତେବେ ଶ୍ରମିକମାନଙ୍କ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ନାଲିଆଖି କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶ୍ରମିକ ମହଲରେ ଚେତାବନୀ ଦିଆଯାଇଛି।
ସୂଚନା ଅନୁଯାୟୀ, ଏହି କାରଖାନା ଏବେ ଯୌଥ ପରିଚାଳନାରେ ରହିଛି। ମେସ୍କୋ ଗ୍ରୁପ ଓ ଇନ୍ଦ୍ରାଣୀ ଗ୍ରୁପ ମଧ୍ୟରେ ୫୦ ପ୍ରତିଶତ ଭାଗୀଦାରିରେ କାରଖାନା ପରିଚାଳନା ହେବାକୁ ଚୁକ୍ତି ହୋଇଛି। ତେବେ ପୂର୍ବରୁ ଶତ ପ୍ରତିଶତ ମେସ୍କୋ ମାଲିକାନାରେ କାମ ଚାଲିଥିବାବେଳେ ଯେଉଁ ହାରରେ ଦରମା ପ୍ରଦାନ କରାଯାଉଥିଲା ଏବେ ତାହାକୁ କମାଇ ଦିଆଯାଇଥିବା ଶ୍ରମିକ ଓ କର୍ମଚାରୀ ଅଭିଯୋଗ କରିଛନ୍ତି । ଏବେ କାରଖାନାରେ ୧୦୫ ଜଣ ସ୍ଥାୟୀ ଓ ୧୦୦ ଜଣ ଅସ୍ଥାୟୀ ଶ୍ରମିକ କାମ କରୁଛନ୍ତି । କାରଖାନାର ବିଭିନ୍ନ ପାର୍ଶ୍ୱରେ ଗୁରୁତର ମରାମତି ଆବଶ୍ୟକତା ରହିଥିବାରୁ ଗତ ୫ ମାସ ହେଲା ମେଣ୍ଟନାନ୍ସ କାମ ଜାରି ରହିଛି। ମାତ୍ର ଶ୍ରମିକ ଆନ୍ଦୋଳନ ଫଳରେ ଏହି କାମ ବନ୍ଦ ହୋଇଯାଇଛି । ଶ୍ରମିକମାନେ ପୂର୍ବ ପରି ବର୍ଦ୍ଧିତ ଦରମା ଦାବି କରୁଥିବାବେଳେ ପରିଚାଳନା କର୍ତ୍ତୃପକ୍ଷ ମାତ୍ର ୧୦ ଟଙ୍କା ଅତିରିକ୍ତ ମଜୁରି ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଯାହାକୁ ନେଇ ମତାନ୍ତର ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ବିଭିନ୍ନ ବର୍ଗ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରି ସାରଣୀକୁ ଏଠାରେ ପାଳନ କରାଯାଇ ଦରମା ପ୍ରଦାନ କରାଯାଉଥିବା ଓ ବୁଧବାର ଠାରୁ ସମସ୍ତଙ୍କ ପାଇଁ କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରାଯାଇଥିବା ପରିଚାଳନା କର୍ତ୍ତୃପକ୍ଷ ନୋଟିସ ଦେଇଛନ୍ତି।