ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ

ନୂଆପଡ଼ା ଅଫିସ,୨୨।୫: ନୂଆପଡ଼ା ଜିଲା ବୋଡେନ ଓ କୋମନା ବ୍ଲକର ୪୫ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ଏକ ଇଟାଭାଟିରେ ଜୋରଜବରଦସ୍ତ କାମ କରାଯାଉଛି। ମନା କଲେ ଇଟାଭାଟି ମାଲିକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଉଛନ୍ତି। ଫଳରେ ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଶ୍ରମିକମାନେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

ହରି ମାଝି ନାମକ ଜଣେ ଶ୍ରମିକଙ୍କୁ ପ୍ରବଳ ମାଡ ମାରିଥିବା ଅଭିଯୋଗ ହେଉଛି। ବୋଡେନ ଓ କୋମନା ବ୍ଲକର ୪୫ଜଣ ଦାଦନ ଶ୍ରମିକ ଗୁଣ୍ଡୁର ନିକଟସ୍ଥ ମାଛରଲାରେ ଆଜକୁ ପ୍ରାୟ ୬ ମାସ ହେବ ଇଟା ତିଆରି କାମ କରିବାକୁ ଯାଇଛନ୍ତି। କୋମନା ବ୍ଲକ ନୂଆଗାଁ ପଞ୍ଚାୟତ କାମକେଡା ଗାଁର ଦାଦନ ସର୍ଦ୍ଧାର ଭଗବାନ ମହାନନ୍ଦ ଶ୍ରମିକ ପ୍ରତି ୪୦ ହଜାର ଟଙ୍କା ଅଗ୍ରୀମ ଦେଇ କାମ କରିବାକୁ ସେଠାକୁ ନେଇଥିଲେ। ୬ ମାସ ହୋଇଥିବାରୁ ଶ୍ରମିକମାନେ ଘରକୁ ଛାଡି ଦେବାକୁ କହିବାରୁ ଟଙ୍କା ଅନୁସାରେ କାମ ସରିନାହିଁ। ଆଉ ଅନେକ ଦିନ କାମ କର ନହେଲେ ଟଙ୍କା ଫେରାଇ ଦିଅ ବୋଲି ସର୍ଦ୍ଧାର କହୁଥିବା ଶ୍ରମିକମାନେ କହୁଛନ୍ତି। ମାନସିକ ନିର୍ଯାତନା ସହ୍ୟ କରି ନ ପାରି ଶେଷରେ ଏକ ଭିଡିଓ ବର୍ତ୍ତା ମାଧ୍ୟମରେ ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

Share