ମଣ୍ଡିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ଧାନକିଣା ବାଧାପ୍ରାପ୍ତ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାର ୧୩୬ରୁ ଊଦ୍ଧର୍‌ବ ମଣ୍ଡିରେ ଗୁରୁବାର ୨ ଦଫା ଦାବି ନେଇ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହାଦ୍ୱାରା ମଣ୍ଡିରେ ଧାନ କିଣା ବାଧାପ୍ରାପ୍ତ ହୋଇଛି। ସେହିପରି ଧାନ ନ ଉଠିବା ଓ ଅନ୍ୟପକ୍ଷେ କୋହଲା ପାଗକୁ ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ମଣ୍ଡିରେ କାର୍ଯ୍ୟରତ ଶ୍ରମିକ(ହେମାଲ)ମାନଙ୍କୁ ପ୍ରଥମେ କୁଇଣ୍ଟାଲ ପିଛା ୧୧ଟଙ୍କା ୧୯ ପଇସା ଦିଆଯାଉଥିଲା। ବର୍ତ୍ତମାନ ସେମାନଙ୍କୁ ୮ ଟଙ୍କା ୪୭ ପଇସା ଦିଆଯାଉଛି । ସେହିପରି ମଣ୍ଡିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ତେଣୁ ଶ୍ରମିକଙ୍କୁ ଆଗରୁ ଦିଆଯାଉଥିବା ୧୧ ଟଙ୍କା ୧୯ ପଇସା ମଜୁରି ପ୍ରଦାନ ଓ ଓଡ଼ିଶା ଗେଜେଟ୍‌ ମୁତାବକ ମଜୁରି ପ୍ରଦାନ ତଥା ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

Share