୨୬ରେ ଶ୍ରମିକ ସଂଗଠନର ଧର୍ମଘଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକ କୋର୍ଡକୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ୨୬ ତାରିଖରେ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଧର୍ମଘଟ ଡାକରା ଦେଇଛନ୍ତି। ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି ଏବଂ ଏଆଇସିସିଟିୟୁ ଆହୁତ ଧର୍ମଘଟକୁ ସଫଳ କରିବାକୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ନେତୃତ୍ୱ ପ୍ରମୁଖ ଶନିବାର ପିସିସି ସଭାପତି ନୀରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡିଥିଲେ। ପିସିିସି ସଭାପତି ମଞ୍ଚର ନେତା ରାମ ଚନ୍ଦ୍ର ଖୁଣ୍ଟିଆ, ରାମକୃଷ୍ଣ ପଣ୍ଡା, ବୀରେନ୍ଦ୍ର ଦାସ, ମହେନ୍ଦ୍ର ପରିଡା ଓ କିଶୋର ଜେନା ପ୍ରମୁଖଙ୍କ ସହ ଆଲୋଚନା କରିବା ପରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ଡାକରାକୁ କଂଗ୍ରେସ ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି। ଧର୍ମଘଟକୁ ସଫଳ କରିବାକୁ ସମସ୍ତ ଜିଲା କଂଗ୍ରେସ କମିଟି, ରାଜ୍ୟର ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

Share