ଆନନ୍ଦପୁର/ଘସିପୁରା,୨୫ା୫(ସ୍ବ.ପ୍ର./ଡି.ଏନ୍.ଏ.): ଘସିପୁରା ଥାନା ଅଧୀନ ଶୈଲଙ୍ଗ ଓଭରବ୍ରିଜ ନିକଟରେ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବୁଧବାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ। ପ୍ରାୟ ୧୦ ଫୁଟ ଗଭୀର ଗର୍ତ୍ତରେ ୩ ଜଣ ଶ୍ରମିକ କାର୍ଯ୍ୟରତ ସମୟରେ ମାଟି ଅତଡ଼ା ଧସିଥିଲା। ଫଳରେ ଜଣେ ଶ୍ରମିକ ମାଟି ତଳେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ସମ୍ପୂର୍ଣ୍ଣ ଭାବେ ଫସିଥିବା ପଶ୍ଚିମବଙ୍ଗ ଅଞ୍ଚଳର ଅସମତ୍ ଅଲ୍ଲୀଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ନିକଟସ୍ଥ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ନିଶ୍ୱାଃସ ନେବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଛି। ବିନା ସୁରକ୍ଷାରେ ଶ୍ରମିକମାନେ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଶ୍ରମିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାଣକାରୀ ଠିକାସଂସ୍ଥା ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।