ଭୁବନେଶ୍ୱର,୩ା୮: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ସେଫ୍ଟି କନ୍କ୍ଲେଭ-୨୨’ ଶୀର୍ଷକ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଗମର ଅଧ୍ୟକ୍ଷ ଡି. କେ. ସିଂହ ଓ ଏମ୍ଡି ବଲ୍ୱନ୍ତ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ କର୍ମଶାଳାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏମ୍ସିର ନିର୍ଦ୍ଦେଶକ (ଅର୍ଥ) ସତ୍ୟଜିତ ମହାନ୍ତି, ନିର୍ଦ୍ଦେଶକ (ବୈଷୟିକ ପରିଚାଳନା) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ପର୍ସନେଲ) ଆଲୋକ କୁମାର ପାଲ ଏବଂ ନିର୍ଦ୍ଦେଶକ (ଟେକ୍ନିକାଲ ପି ଆଣ୍ଡ ପି) ଡ. କ୍ଷୀରୋଦ ଚନ୍ଦ୍ର ବ୍ରହ୍ମାଙ୍କ ସମେତ ନିଗମର ବହୁ ବରିଷ୍ଠ ଅଧିକକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଓଏମ୍ସିକୁ ଆନ୍ତର୍ଜାତିକ ମାନରେ ପହଞ୍ଚାଇବା ଲାଗି ସୁରକ୍ଷା ପରିଚାଳନାରେ ନିରନ୍ତର ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ଓଏମ୍ସିର ଅଧ୍ୟକ୍ଷ ସିଂହ ମତବ୍ୟକ୍ତ କରିଛନ୍ତି। ସେହିଭଳି ନିଗମର ଏମ୍ଡି ବଲଓ୍ବନ୍ତ କହିଛନ୍ତି, କାର୍ଯ୍ୟ କ୍ଷେତ୍ରରେ ଶୂନ ଆଘାତ ଲକ୍ଷ୍ୟ ହାସଲ କରିବା ଲାଗି କମ୍ପାନୀ ସର୍ବଦା ସୁରକ୍ଷା ପରିଚାଳନା ବ୍ୟବସ୍ଥା, ଫ୍ଲିଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଆଦି ପ୍ରଯୁକ୍ତି ଜ୍ଞାନକୌଶଳର ବ୍ୟବହାର କରୁଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଖଣି କମ୍ପାନୀର ସୁରକ୍ଷା ଅଧିକାରୀମାନେ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରି ନିଜ ନିଜର ମତ ଓ ଅଭିଜ୍ଞାତ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପରିଶେଷରେ ନିଗମ ପକ୍ଷରୁ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ଦକ୍ଷ କର୍ମଚାରୀ ଓ ସହଯୋଗୀ ସଂସ୍ଥାଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।