କୋଲକାତା, ୪ା୭: ବିଶ୍ୱ ବିଜେତା ଆର୍ଜେଣ୍ଟିନା ଫୁଟବଲ ଦଳର ଗୋଲକିପର ଏମିଲିଆନୋ ମାର୍ଟିନେଜ୍ ଭାରତ ଗସ୍ତରେ ଆସିଛନ୍ତି। ଦକ୍ଷିଣ ଏସିଆ ଟୁର୍ରେ ରହିଥିବା ମାର୍ଟିନେଜ୍ ସୋମବାର କୋଲକାତାରେ ପହଞ୍ଚିଥିଲେ। ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ ସେ ମୋହନ ବାଗାନ କାର୍ଯ୍ୟାଳୟକୁ ଯାଇଥିଲେ। କାତାର ୨୦୨୨ରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ କିପିଂ କରିଥିବା ଆଷ୍ଟନ ଭିଲାର ଏହି ଗୋଲିଙ୍କୁ ମୋହନ ବାଗାନ ଶାଲ ପ୍ରଦାନ କରାଯାଇଥିଲା। ପଶ୍ଚିମବଙ୍ଗ ବିଧାୟକ ସୁଜିତ ବୋଷ ଓ ମୋହନ ବାଗାନ ସାଧାରଣ ସମ୍ପାଦକ ଦେବାଶିଷ ଦତ୍ତ ଭେଟିଥିଲେ। ଏହି ଗସ୍ତ ସମୟରେ ମାର୍ଟିନେଜ୍ ପେଲେ-ମାରାଡୋନା-ସୋବର୍ସ ଗେଟ୍ର ଉଦ୍ଘାଟନ କରିବେ ଓ କ୍ଲବ୍ ପକ୍ଷରୁ ମଙ୍ଗଳବାର ତାଙ୍କୁ ସମ୍ବର୍ଦ୍ଧିତ କରାଯିବାର ଯୋଜନା ରହିଥିବା ଜଣାପଡିଛି। ଭାରତରେ ମିଳିଥିବା ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପାଇଁ ମାର୍ଟନେଜ ମୋହନ ବାଗାନ ମାଲିକ ସଞ୍ଜୀବ ଗୋଏଙ୍କାଙ୍କୁ ଏକ ପତ୍ର ଲେଖିଥିବା କ୍ଲବ୍ ପକ୍ଷରୁ କୁହାଯାଇଛି।