ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବାରେ ଲାଗିଛି। ଏହା ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହିତ କୃଷକଙ୍କ ଆୟ, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ। ଏଥିପାଇଁ ବିଭିନ୍ନ ଦେଶରେ ସରକାରୀ ସ୍ତରରେ ପଦକ୍ଷେପମାନ ଗ୍ରହଣ କରାଯାଉଛି।
ପରିବେଶ ପାଇଁ ଜୈବ ଇନ୍ଧନ ଅପରିହାର୍ଯ୍ୟ। ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ ବା କୋଇଲା ଆଧାରିତ ବିଜୁଳି ପରିବେଶକୁ ଦୂଷିତ କରୁଛି। ଏହାର ବିକଳ୍ପ ଭାବେ ଜୈବ ଇନ୍ଧନ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ନୂଆ ଇନ୍ଧନର ଉତ୍ସକୁ ପ୍ରୋତ୍ସାହିତ କରିବ। ଅଥବା ଜୀବାଶ୍ମ ଇନ୍ଧନରେ ଇଥାନଲର ମିଶ୍ରଣ ହେବ; ଯାହା କି ପରିବେଶକୁ ସୁରକ୍ଷା ଦେବାରେ ସହାୟକ ହେବ। ଜୈବ ଇନ୍ଧନ ମୁଖ୍ୟତଃ ଗଛଲତା ଏବଂ ପ୍ରାଣୀଙ୍କ ବର୍ଜ୍ୟରୁ ପ୍ରସ୍ତୁତ ହୁଏ, ଯାହା କି ପ୍ରକୃତି ଉପରେ କୁପ୍ରଭାବ ପକାଏ ନାହିଁ।
ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧୦ ଅଗଷ୍ଟରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରାଯାଇଥାଏ। ଏହି ଦିନ, ସରକାରୀ ଏବଂ ବେସରକାରୀ ସଂଗଠନ ଏକତ୍ରିତ ହୋଇ ଏକ ଭିନ୍ନ ଶକ୍ତି ଉତ୍ସ ଭାବରେ ଅଣ-ଜୀବାଶ୍ମ ଇନ୍ଧନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି। ଅଗଷ୍ଟ ୧୦କୁ ବିଶ୍ୱ ଜୈବ ଇନ୍ଧନ ଦିବସ ଭାବରେ ମନୋନୀତ କରାଯିବାର କାରଣ ୧୮୯୩ରେ ଏହି ଦିନରେ ଜର୍ମାନ ଉଦ୍ଭାବକ ସାର୍ ରୁଡଲ୍ଫ ଡିଜେଲ ବାଦାମ ତେଲରେ ଡିଜେଲ ଇଞ୍ଜିନକୁ ସଫଳତାର ସହ ଚଳାଇଥିଲେ। ଏହା ଜୀବାଶ୍ମ ଇନ୍ଧନ ପାଇଁ ଏକ ନିରାପଦ, ନବୀକରଣଯୋଗ୍ୟ ଏବଂ ସ୍ଥାୟୀ ବିକଳ୍ପ ସୃଷ୍ଟି କରିବାର ଆଶା ସୃଷ୍ଟି କରିଥିଲା। ଭାରତରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୦୧୫ଠାରୁ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରିବା ଆରମ୍ଭ କରିଛି। ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଜୈବ ଇନ୍ଧନ ହେଉଛି ଏକ ଚାବି କାଠି ଏବଂ ଏହା ଏକ ପରିଛନ୍ନ ପରିବେଶ ସୁନିଶ୍ଚିତ କରିଥାଏ। ଅପରପକ୍ଷେ ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏ। ଜୀବାଶ୍ମ ଇନ୍ଧନ ଜାଳିବା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ; ଯାହା ବାୟୁ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ।