Categories: ଖେଳ

ହିମ ସ୍ଖଳନରେ ବିଶ୍ୱ ଚାମ୍ପିୟନ ସ୍କିଅରଙ୍କ ମୃତ୍ୟୁ

ଟୋକିଓ, ୧।୨(ଏପି): ସେଣ୍ଟ୍ରାଲ ଜାପାନ ଅନ୍ତର୍ଗତ ପାର୍ବତ୍ୟାଞ୍ଚଳରେ ହିମ ସ୍ଖଳନରେ ପୋତି ହୋଇ ବିଶ୍ୱ ଚାମ୍ପିୟନ ୩୧ ବର୍ଷୀୟ ହାଫ୍‌ପାଇପ୍‌ ସ୍କିଅର କାଇଲ ସ୍ମାଇନ୍‌ଙ୍କ ମୃତ୍ୟୁ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକା ଫ୍ରି ସ୍କି ଟିମ୍‌ ସୋସିଆଲ ମିଡିଆରେ ଏହି ୩୧ ବର୍ଷୀୟ ଆମେରିକୀୟଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛିି। ସ୍ମାଇନ୍‌ଙ୍କ ବାସସ୍ଥାନ କାଲିଫର୍ନିଆର ଲେକ୍‌ ଟାହୋ ଅଞ୍ଚଳରେ। ଅବିଶ୍ୱସନୀୟ କ୍ୱାଲିଟି ବରଫ ଯୋଗୁ ସ୍କି’ର ମଜା ନେବା ଲାଗି ସେ ନାଗାନୋ ଗସ୍ତରେ ଯାଇଥିଲେ। ସ୍ମାଇନ୍‌ଙ୍କ ଗସ୍ତ କାଳରେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଏଥିଯୋଗୁ ହିମ ସ୍ଖଳନର ଆଶଙ୍କା ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସାବଧାନ କରାଇ ଦେଇଥିଲେ। ଟ୍ରିପ୍‌ରେ ସାମିଲ ଥିବା ଫଟୋଗ୍ରାଫର ଗ୍ରାଣ୍ଟ ଗୁଣ୍ଡରସନ ସୋସିଆଲ ମିଡିଆରେ ଏହି ଭୂସ୍ଖଳନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ବ୍ଲାଷ୍ଟ ସ୍ମାଇନ୍‌ଙ୍କୁ ୫୦ ମିଟର ଦୂର ଫିଙ୍ଗି ଦେଇଥିଲା। ବରଫ ତାଙ୍କୁ ପୋତି ଦେଇଥିଲା ଏବଂ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ସ୍ମାଇନ୍‌ଙ୍କ ଅନ୍ୟ ଦୁଇ ସ୍କିଅର ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୫ ଫୁଟ୍‌ ବରଫରେ ପୋତି ହୋଇଯାଇଥିଲେ ହେଁ ଆଘାତପ୍ରାପ୍ତ ହୋଇ ନ ଥିଲେ। ଗୁଣ୍ଡରସନ ଅନ୍ୟ ସ୍କିଅରମାନଙ୍କ ନାମ ପ୍ରକାଶ କରି ନାହାନ୍ତି। ସ୍ମାଇନ୍‌ ୨୦୧୫ ସ୍କି ହାଫ୍‌ପାଇପ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଜିତିଥିଲେ। ବର୍ଷକ ପରେ ଏହି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା। ତାଙ୍କର ଶେଷ ବଡ଼ ପ୍ରତିଯୋଗିତା ୨୦୧୮ରେ କାଲିଫର୍ନିଆର ମାମନ୍ଥ ମାଉଣ୍ଟେନରେ ଅନୁଷ୍ଠିତ ବିଶ୍ୱକପ୍‌ ଥିଲା। ଏଥିରେ ସେ ଚାମ୍ପିୟନ ହୋଇଥିଲେ।

Share