Categories: ଖେଳ

ଭାରତ-ପାକ୍‌ ବ୍ୟତିତ ଅନ୍ୟ ମ୍ୟାଚ କାର୍ଯ୍ୟସୂଚୀରେ ହୋଇପାରେ ପରିବର୍ତ୍ତନ: ଜୟ ଶାହା

ନୂଆଦିଲ୍ଲୀ,୨୮।୭: ଭାରତଠାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଆଇସିସିର ତିନିଜଣ ପୂର୍ଣ୍ଣ ସଦସ୍ୟ ଆଇସିସିକୁ ଚିଠି ଲେଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି। ଏନେଇ ବିସିସିଆଇର ସଚିବ ଜୟ ଶାହା କହିଛନ୍ତି। ବିଶ୍ୱକପ ମ୍ୟାଚ ଆୟୋଜନ କରୁଥିବା ଆସୋସିଏଶନ ସହିତ କଥା ହେବା ପରେ ବିସିସିଆଇ ସଚିବ କହିଛନ୍ତି ଯେ, କାର୍ଯ୍ୟସୂଚୀରେ ପରିବର୍ତ୍ତନ ପ୍ରସଙ୍ଗ ୩ରୁ ୪ଦିନ ମଧ୍ୟରେ ସମାଧାନ ହୋଇଯିବ।

ଜୟ ଶାହା କହିଛନ୍ତି, କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ତିନିଜଣ ସଦସ୍ୟ ଆଇସିସିକୁ ଚିଠି ଲେଖିଛନ୍ତି। କେବଳ ତାରିଖ ଏବଂ ସମୟ ପରିବର୍ତ୍ତନ କରାଯିବ, ସ୍ଥାନଗୁଡିକ ପରିବର୍ତ୍ତନ ହେବ ନାହିଁ । ଯଦି ମ୍ୟାଚରେ ୬ଦିନର ବ୍ୟବଧାନ ରହିବ, ତେବେ ଆମେ ଏହାକୁ ୪-୫ ଦିନକୁ ହ୍ରାସ କରିବାକୁ ଚେଷ୍ଟା କରୁଛୁ। ତିନିରୁ ଚାରି ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ। ଆଇସିସି ସହିତ ପରାମର୍ଶ କରି ପରିବର୍ତ୍ତନ କରାଯିବ।

ଏହାପୂର୍ବରୁ ଖବର ଆସିଥିଲା ଯେ, ଗୁଜରାଟରେ ନବରାତ୍ରୀ ଯୋଗୁ ଭାରତ ଏବଂ ପାକିସ୍ତାନ ମ୍ୟାଚରେ ପରିବର୍ତ୍ତନ ହୋଇପାରେ। ନବରାତ୍ରୀ ଉପରେ ନଜର ରଖି ସୁରକ୍ଷା ଉଲ୍ଲେଖ କରାଯାଇଥିଲା। ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୪ରେ ହେବ, କିନ୍ତୁ ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ ୧୪ ତାରିଖ ପୂର୍ବରୁ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ।

ଏଭଳି ପରିସ୍ଥିତିରେ ଗୋଟିଏ ଦିନରେ ତିନୋଟି ମ୍ୟାଚ କରିବା ସମ୍ଭବ ନୁହେଁ। ଯେତେବେଳେ ଇଣ୍ଡିଆ-ପାକ୍‌ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ ବିଷୟରେ ଜୟ ଶାହାଙ୍କୁ ପଚରାଗଲା, ଜୟ ଶାହା କହିଛନ୍ତି ଯେ ସୁରକ୍ଷା ଏକ ପ୍ରସଙ୍ଗ ନୁହେଁ।

Share