Categories: ଖେଳ

ବିଶ୍ୱକପ୍‌: ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୃହତ୍‌ ବିଜୟ

ନୂଆଦିଲ୍ଳୀ, ୮। ୧୦:  ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚରେ ୩ ଖେଳାଳିଙ୍କ ଶତକ ବଳରେ ଶ୍ରୀଲଙ୍କା ବିପକ୍ଷରେ ୧୦୨ ରନରେ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଏଡେନ୍‌ ମାରାକ୍ରମ, କ୍ୱିଣ୍ଟନ୍‌ ଡି’କକ୍‌ ଓ ରାଶି ଭାନ୍‌ ଡର ଡୁସେନଙ୍କ ଶତକ ବଳରେ ୫ ଉଇକେଟ ହରାଇ ୪୨୮ ରନ୍‌ ସ୍କୋର କରିଥିଲା।
ଜବାବରେ ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନରେ ଅଲଆଉଟ ହୋଇଥିଲା। ଟସ୍‌ ହାରି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଦଳୀୟ ସ୍କୋର ୧୦ ରନ୍‌ରେ ଅଧିନାୟକ ଟେମ୍ବା ବଭୂମାଙ୍କ ଉଇକେଟ ହରାଇଥିଲା। ତେବେ ଡି’କକ୍‌ (୧୦୦) ଓ ରାଶି ଭାନ୍‌ ଡର ଡୁସେନ(୧୦୮) ଦ୍ୱିତୀୟ ଉଇକେଟରେ ୨୦୪ ରନ୍‌ ଯୋଡିଥିଲେ। ଡି’କକ୍‌ ୮୪ ବଲ୍‌ ଖେଳି ୧୨ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ରାଶି ଭାନ୍‌ ଡର ଡୁସେନ ୧୧୦ ବଲ୍‌ ଖେଳି ୧୩ ଚୌକା ଓ ୨ ଛକା ମାରିଥିଲେ। ଏଡେନ୍‌ ମାରାକ୍ରମ ବିଶ୍ୱକପ୍‌ର ଦ୍ରୁତତମ ଶତକ ହାସଲ କରିବା ସହିତ ୫୪ ବଲ୍‌ରୁ ୧୦୬ ରନ୍‌ କରିଥିଲେ। ୪୯ ବଲ୍‌ରୁ ଶତକ ହାସଲ କରି ସେ କେଭିନ୍‌ ଓ ବ୍ରାଏନଙ୍କ ରେକର୍ଡ ଭାଙ୍ଗିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶନକା ଦୁଇଟି ଉଇକେଟ ନେଇଥିଲେ।
୪୨୯ ରନ୍‌ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କାର ବ୍ୟାଟିଂ ବିଫଳ ହୋଇଥିଲା। କୁଶାଲ ମେଣ୍ଡିସ୍‌ ୭୬ ଓ ଚରିଥ୍‌ ଆସାଲଙ୍କା ୭୯ ରନ୍‌ କରିଥିବା ବେଳେ ଦାସୁନ ଶନକା ୬୮ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜେରାଲ୍ଡ କୋଏଟଜି ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମାର୍କୋ ଜାନସେନ୍‌, କେଶବ ମହାରାଜ ଓ କାଗିସୋ ରାବାଡା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।

Share