Categories: ଖେଳ

ବିଶ୍ୱକପ୍‌ ଚେସ୍‌ ଫାଇନାଲ: ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌ ଚାମ୍ପିୟନ

ବାକୁ,୨୪ା୮: ଚେସ୍‌ ବିଶ୍ୱକପ୍‌ ଫାଇନାଲର ଟାଇବ୍ରେକର ରାଉଣ୍ଡରେ ଭାରତର ଆର୍‌. ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌। ମାତ୍ର ୧୮ ବର୍ଷ ବୟସରେ ବିଶ୍ୱକପ୍‌ ଫାଇନାଲରେ କାର୍ଲସେନ୍‌ଙ୍କୁ କଡା ଚ୍ୟାଲେଞ୍ଜ ଦେଇ ଚେସ୍‌ ପ୍ରେମୀଙ୍କ ହୃଦୟ ଜିତି ନେଇଛନ୍ତି ଭାରତର ଆର୍‌. ପ୍ରଜ୍ଞାନନ୍ଦ। ବିଶ୍ୱକପ୍‌ ଫାଇନାଲର ପ୍ରଥମ ଦୁଇ କ୍ଲାସିକାଲ୍‌ ଗେମ୍‌ ଡ୍ର’ରେ ଶେଷ ହେବା ପରେ ଟାଇବ୍ରେକରରେ ମ୍ୟାଚ ଫଇସଲା ହୋଇଥିଲା। ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ କଡା ଟକ୍କର ଦେଇଥିଲେ ମଧ୍ୟ କାର୍ଲସେନ୍‌ ବାଜି ମାରି ନେଇଥିଲେ। ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି ମାଗ୍ନସ୍‌ କାର୍ଲସେନ୍‌ ୧.୫-୦.୫ ଟାଇବ୍ରେକରେ ଜିତିବା ସହିତ ନିଜର ପ୍ରଥମ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲେ।

କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ପ୍ରଜ୍ଞାନନ୍ଦ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ପ୍ରଥମ ଟାଇବ୍ରେକର ଗେମ୍‌ ପାଇଁ ପ୍ରତି ମୁଭ୍‌କୁ ୩୦ ସେକେଣ୍ଡ ସହିତ ଅତିରିକ୍ତ ୧୦ ସେକେଣ୍ଡର ସମୟ ମିଳିଥିଲା। କଡା ସଂଘର୍ଷପୂର୍ଣ୍ଣ ଟାଇବ୍ରେକର ପ୍ରଥମ ଗେମ୍‌କୁ ୪୫ ମୁଭ୍‌ରେ ଜିତିଥିଲେ କାର୍ଲସେନ୍‌। ଦ୍ୱିତୀୟ ଟାଇବ୍ରେକ୍‌ ଗେମ୍‌ଟି ୨୫ ସେକେଣ୍ଡ ବିଶିଷ୍ଟ ରହିଥିବା ବେଳେ ୧୦ ସେକେଣ୍ଡର ଅତିରିକ୍ତ ସମୟ ମିଳିଥିଲା। ୨୨ ମୁଭ୍‌ ପରେ ଏହି ଗେମ୍‌ ଡ୍ରରେ ଶେଷ ହେବା ସହିତ କାର୍ଲସେନ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।

Share