Categories: ଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ୨୮ ଜଣିଆ ଭରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୪ା୧୧: ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ପାଇଁ ଭାରତୀୟ ଫୁଟ୍‌ବଲ ଟିମ୍‌ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ ଶୁକ୍ରବାର ୨୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛନ୍ତି। ଏଥିରେ ସୁନୀଲ ଛେତ୍ରୀ, ଗୁରପ୍ରୀତ ସିଂ ସାନ୍ଧୁ ଓ ସନ୍ଦେଶ ଝିନ୍‌ଗାନ୍‌ଙ୍କ ସମେତ ଅଧିକାଂଶ ଟପ୍‌ ଖେଳାଳି ସ୍ଥାନ ପାଇଛନ୍ତି। ଫିଫା ବିଶ୍ୱକପ୍‌ ୨୦୨୬ ରାଉଣ୍ଡ-୨ର ପ୍ରଥମ ଦୁଇ ମ୍ୟାଚ ଏବଂ ଏଏଫ୍‌ସି ଏସିଆନ କପ୍‌ ସାଉଦିଆରବ ୨୦୨୭ ପ୍ରିଲିମିନାରି ଜଏଣ୍ଟ କ୍ୱାଲିଫିକେଶନ ପାଇଁ ଏହି ଦଳ ଘୋଷଣା କରାଯାଇଛି। ଗ୍ରୁପ୍‌ ‘ଏ’ରେ ବ୍ଲୁ ଟାଇଗର୍ସ ଦଳ ଏହାର ଓପନିଂ ମ୍ୟାଚ ନଭେମ୍ବର ୧୬ରେ କୁଏଟ ସିଟିରେ ଅବସ୍ଥିତ ଜାବର ଅଲ୍‌ ଅହମଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ କୁଏଟକୁ ଭେଟିବ। ଦଳ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ନଭେମ୍ବର ୨୧ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ କାତାର ସହ ମୁକାବିଲା କରିବ। କ୍ୱାଲିଫାୟର୍ସ ପୂର୍ବରୁ ଭାରତ ଏକ ପ୍ରସ୍ତୁତି କ୍ୟାମ୍ପ ପାଇଁ ନଭେମ୍ବର ୮ରେ ଦୁବାଇ ଗସ୍ତ କରିବ।

Share