Categories: ଜାତୀୟ

ନଭେମ୍ବର ୨୮ରୁ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ଡେରାଡୁନ,୫ା୧୦: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଅନୁଷ୍ଠିତ ହେବ ୬ଷ୍ଠ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡେରାଡୁନ ସଚିବାଳୟସ୍ଥିତ ମିଡିଆ ସେଣ୍ଟରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଏହି ସମ୍ମିଳନୀର ବ୍ରାଣ୍ଡ ଆମ୍ବାସାଡର ହେବେ। ସମ୍ମିଳନୀ ପାଇଁ ଅମିତାଭ ବଚ୍ଚନଙ୍କ ଭିଡିଓ ବାର୍ତ୍ତା ଖବରଦାତା ସମ୍ମିଳନୀରେ ପ୍ରସାରିତ ହୋଇଥିଲା। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଡି.ଏମ୍‌.ଆଇ.ସି. ହାଇଦ୍ରାବାଦ ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।

ଭାରତୀୟ ମହାକାଶ ଗବେଷଣା ସଂଗଠନ, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ପରମାଣୁ ଶକ୍ତି ଆୟୋଗ ଆଦି ସଂସ୍ଥାର ମୁଖ୍ୟ, ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ସମେତ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନର ପ୍ରତିନିଧି, ମିଳିତ ଜାତିସଂଘ, ଭାରତ ତଥା ବିଦେଶର ଜଳବାୟୁ ବିଶେଷଜ୍ଞମାନେ ସମ୍ମିଳନୀରେ ଯୋଗଦେବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶବିଦେଶର ବିଶେଷଜ୍ଞଙ୍କ ମଧ୍ୟରେ ବିଚାରବିମର୍ଶ ହେବ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ହେଉଛି ହିମାଳୟ ଇକୋସିଷ୍ଟମକୁ ଦୃଷ୍ଟିରେ ରଖି ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ଆଲୋଚନା ଏବଂ ସମାଧାନ କରିବା। ଏହାବ୍ୟତୀତ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରସ୍ତୁତି ପାଇଁ ଉତ୍ତରାଖଣ୍ଡକୁ ଜଳବାୟୁ ଅନୁକୂଳ ସମାଧାନର କେନ୍ଦ୍ର ଭାବେ ବିକାଶ କରିବା ହେଉଛି ସମ୍ମିଳନୀର ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ଧାମି ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ମୁକାବିଲା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଭାରତରେ ଏବଂ ବିଶେଷକରି ହିମାଳୟ ନିକଟ ରାଜ୍ୟଗୁଡ଼ିକରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଉପରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ୮ ଓ ୯ ଡିସେମ୍ବରରେ ଉତ୍ତରାଖଣ୍ଡରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ-୨୦୨୩ ଆୟୋଜନ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପୂର୍ବରୁ ଆୟୋଜିତ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ ‘ନିରାପଦ ନିବେଶ-ସୁଦୃଢ଼ ଉତ୍ତରାଖଣ୍ଡ’ର ବାର୍ତ୍ତା ଦେଶବିଦେଶରେ ବିସ୍ତାର କରିବ। ସେ କହିଛନ୍ତି, ପରିବେଶ ଏବଂ ଅର୍ଥନୀତିକୁ ସନ୍ତୁଳିତ କରି ସରକାର ରାଜ୍ୟର ବିକାଶ କରିବେ। ଏହି ସମ୍ମିଳନୀରେ ୪ଟି ମୁଖ୍ୟ ଅଧିବେଶନ, ୫୦ଟି ବୈଷୟିକ ଅଧିବେଶନ ଏବଂ ଅନେକ ସ୍ବତନ୍ତ୍ର ବୈଷୟିକ ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଷୟରେ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି।

Share