କାନ ଚିରି ବାହାରିଗଲା ଗୁଳି…ମରଣାନ୍ତକ ଆକ୍ରମଣ ପରେ ବଡ଼ ବୟାନ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି। ଏହି ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ମୁହଁ ଏବଂ କାନରେ ରକ୍ତ ଦାଗ ଦେଖିବାକୁ ମିଳିଛି। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଏବେ ସେ ବିପଦ ମୁକ୍ତ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଅପରପକ୍ଷେ ସୁରକ୍ଷାକର୍ମୀମାନେ ଦୁଇଜଣ ଆକ୍ରମଣକାରୀ(ଶୁଟର୍‌)ଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଆକ୍ରମଣ ପରେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ମୋର ଡାହାଣ କାନର ଉପର ଭାଗରେ ଗୁଳି ବାଜିଛି। କାନର ଉପର ଭାଗକୁ ବିଦ୍ଧ କରି ବୁଲେଟ୍‌ ଚାଲିଯାଇଥିଲା। ଫଳରେ ବହୁତ ରକ୍ତତ୍ସାବ ହୋଇଛି। ଭଗବାନ ଆମେରିକାକୁ ଆଶୀର୍ବାଦ କରନ୍ତୁ।’

ତେବେ ଟ୍ରମ୍ପଙ୍କୁ ଗୁଳିମାଡ଼ ସମୟରେ ଜଣେ ଶୁଟର୍‌ ରାଲି ଭିଡରେ ଉପସ୍ଥିତ ଥିବା ବେଳେ ଅନ୍ୟ ଜଣେ ୧୦୦ ଫୁଟ୍‌ ଦୂର ଏକ କୋଠାର ଛାତରେ ଥିଲେ। ସେଠାରୁ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ତାଙ୍କୁ ହତ୍ୟା କରିଥିଲେ। ଗୁଳି ବାଜିବା ପରେ ମଧ୍ୟ ଟ୍ରମ୍ପ ସ୍ଲୋଗାନ ଜାରି ରଖିଥିଲେ। ଘଟଣାକୁ ନେଇ ଦେଶରେ ଉତ୍ତେଜନା ବଢ଼ିଥିବା ବେଳେ ନ୍ୟୁୟର୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଏନେଇ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ମୋତେ ଟ୍ରମ୍ପଙ୍କ ରାଲିରେ ଗୁଳିମାଡ଼ ନେଇ ସୂଚନା ମିଳିଛି। ସେ ସୁରକ୍ଷିତ ଥିବା ଜାଣି ମୁଁ ଖୁସି। ସେ ଏବଂ ତାଙ୍କ ପରିବାର ସହ ରାଲିରେ ଉପସ୍ଥିତ ସମସ୍ତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି। ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ଲାଗି ଜିଲ୍‌ ଏବଂ ଗୁପ୍ତ ସେବା ଉପରେ କୃତଜ୍ଞ। ଆମେରିକାରେ ଏଭଳି ହିଂସା ପାଇଁ କୌଣସି ସ୍ଥାନ ନାହିଁ।

Share