ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ଧରିତ୍ରୀ। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧରାପୃଷ୍ଠରେ ପ୍ରାକୃତିକ ସମ୍ପଦ ରହିଛି। ଆମେ କିନ୍ତୁ ଆମର ଲୋଭକୁ ପୂରଣ କରିବା ଲାଗି ପ୍ରାକୃତିକ ସମ୍ପଦର ଅବିବେକୀ ବ୍ୟବହାର କରିଚାଲିଛୁ। ଆମର ଅମାନୁଷିକ ବ୍ୟବହାର ଫଳରେ ଧରିତ୍ରୀର ନିର୍ମଳ ପରିବେଶ ଦୂଷିତ ହେଉଛି। ଏହାର ପାଣି, ପବନ, ମାଟିରେ ବିଷ ମିଶୁଛି।
ତେଣୁ ଆମ ପୃଥିବୀ ଏବେ ମୁମୂର୍ଷୁ ଅବସ୍ଥାରେ ରହିଛି। ପୃଥିବୀ ଗ୍ରହର ବିଭିନ୍ନ ପରିବେଶଜନିତ ସମସ୍ୟା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସମସ୍ୟାର ସମାଧାନ ଦିଗରେ ଚିନ୍ତା କରିବା ପାଇଁ ୧୯୬୯ ମସିହାରେ ଏକ ବିଶେଷ ପ୍ରସ୍ତାବ ଅଣାଯାଇଥିଲା। ଏଭଳି ପୁଣ୍ୟ ପ୍ରୟାସକୁ ଅଧିକ ଜନାଦୃତ କରିବା ସକାଶେ ଏକ ବିଶେଷ ଦିବସର ପରିକଳ୍ପନା କରାଗଲା। ସେହି ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ଧରିତ୍ରୀର ମୁମୂର୍ଷୁ ଅବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ‘ଧରିତ୍ରୀ ଦିବସ’।
୧୯୭୦ ମସିହାରୁ ଏପ୍ରିଲ ୨୨ରେ ଏହି ଦିବସ ପାଳନ କରାଯାଉଛି।
ଚଳିତ ବର୍ଷର ‘ଧରିତ୍ରୀ ଦିବସ’ ଉଦ୍ଦେଶ୍ୟରେ ଜନସାଧାରଣଙ୍କ ପାଇଁ ସନ୍ଦେଶ ରହିଛି- ‘ଆମ ପୃଥିବୀର ପୁନରୁଦ୍ଧାର’।
ସହରୀକରଣ ନିଶା ହେତୁ ଜଙ୍ଗଲ ସଫା ହେଉଛି। ଚାଷଜମି କମିଯାଉଛି। ଏହା ବଦଳରେ ସହର ସୃଷ୍ଟି ହେଉଛି। ସଭ୍ୟତାର ବିକାଶ ନାମରେ ସବୁଜିମା ନଷ୍ଟ ହେଉଛି। ଯାନବାହନ ସଂଖ୍ୟା ବି ବଢୁଛି। ଅଧିକରୁ ଅଧିକ କଳକାରଖାନା ନିର୍ମାଣ ହେଉଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ଆବର୍ଜନା ମୃତ୍ତିକାକୁ ଦୂଷିତ କରୁଛି। ସେଥିରେ ଫସଲ ହେଉନାହିଁ। ଲୋକମାନେ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି। ତେଣୁ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଅଧିକ କୋଇଲା ଜାଳିବାକୁ ପଡୁଛି, ଯାହାକି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିକରୁଛି। ପୃଥିବୀର ଜଳବାୟୁକୁ ଅନିୟମିତ କରୁଥିବା କାରକଗୁଡ଼ିକ ମଧ୍ୟରୁ ଅଙ୍ଗାରକାମ୍ଳ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ଜଳବାୟୁ ନିୟମିତ ହେବା ପାଇଁ ସୁସ୍ଥ ବାୟୁମଣ୍ଡଳ ଜରୁରୀ।
ସୁସ୍ଥ ବାୟୁମଣ୍ଡଳ ପାଇଁ ଘନ ଜଙ୍ଗଲ ଆବଶ୍ୟକ।
ଆଜି ପ୍ରଦୂଷଣକୁ ଦୃଢ଼ ବିରୋଧ କରିବା ସହିତ ଆମ ଗ୍ରହର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି। ନ ହେଲେ ଅନ୍ୟ ଜୀବଜଗତ ସହିତ ମଣିଷ ବି ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ।
ବିପ୍ଳବର କୁପ୍ରଭାବ ଧରିତ୍ରୀର ବା-ପା-ମା (ବାୟୁ-ପାଣି-ମାଟି)କୁ ଆଜି ନଷ୍ଟ କରିଦେଇଛି। ଆମେ ସିନା କଳକାରଖାନା ଓ ଗାଡ଼ିମୋଟରକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବା ନାହିଁ, କିନ୍ତୁ ତଜ୍ଜନିତ ପ୍ରଦୂଷଣ ଓ କୁପ୍ରଭାବକୁ ଯଥାସମ୍ଭବ ହ୍ରାସ କରାଇପାରିବା।ଧରିତ୍ରୀକୁ ପୂର୍ବଭଳି ସବୁଜ କରିପାରିବା। ଗଁା ଓ ସହରକୁ ଗଛ ଓ ଉଦ୍ୟାନରେ ଭରିଦେବା ପାଇଁ ଜନସଚେତନତା ସୃଷ୍ଟି ହେବା ଦରକାର। ଅଂଶୁଘାତ, ଜାଗତିକ ଉଷ୍ଣତା ବୃଦ୍ଧି ଓ ସବୁଜଗୃହ ପ୍ରଭାବ ଭଳି ସମସ୍ୟାର ସମାଧାନ ଦିଗରେ ସବୁଜିମା ସହାୟକ ହେବ।
ପାଇଁ ଆମେ ଗ୍ରହଣ କରିଥିବା ପନ୍ଥାଗୁଡ଼ିକ ପ୍ରଦୂଷଣପୂର୍ବକ ଆମର ଅପୂରଣୀୟ କ୍ଷତି କରୁଛି। ଉନ୍ନତି ଆଳରେ ଆମର ପ୍ରୟାସ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡୁଛି। ଅତଏବ ଆମ ଉନ୍ନତିର ଧାରା ନିରନ୍ତରଧର୍ମୀ ନୁହେଁ। ଗଛଲତା, ପ୍ରାଣୀ ଓ ଜୀବାଣୁଭୂତାଣୁଙ୍କୁ ମିଶେଇଲେ ପୃଥିବୀରେ ପ୍ରାୟ ୮୭ ଲକ୍ଷ ପ୍ରଜାତିର ଜୀବନ ରହିଛି। ସେମାନଙ୍କ ମଧ୍ୟରୁ ମଣିଷ ଅନ୍ୟତମ। ପରିତାପର ବିଷୟ, ଏତେ କିସମର ପ୍ରାଣୀ ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀରେ ବାସକରି ଆସୁଥିଲେ ବି ଯେଉଁ ପରିବର୍ତ୍ତନ ଘଟି ନ ଥିଲା, ଏଇ ମାତ୍ର ୩୦୦ ବର୍ଷ ଭିତରେ ମଣିଷର ଶିଳ୍ପବିପ୍ଳବ ଧରିତ୍ରୀକୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି। ସର୍ବଂସହା ଧରିତ୍ରୀର ନୀରବତାର ସୁଯୋଗ ନେଇ ଆମ ପରିବେଶକୁ ଆମେ ନିଜେ ନଷ୍ଟ କରୁଛେ। ସୁନ୍ଦର ସବୁଜ ଧରିତ୍ରୀ ଆଜି ବିବର୍ଣ୍ଣ ଦିଶୁଛି। ସେଥିପାଇଁ ଆମେ ଦାୟୀ। ତେଣୁ ପୃଥିବୀର ପୁନରୁଦ୍ଧାର ଆମ ଦାୟିତ୍ୱ।
ଆଜିର ପରିବେଶଜନିତ ସମସ୍ୟାଗୁଡ଼ିକ ସମ୍ପର୍କରେ ଇଣ୍ଟରନେଟ, ଫେସ୍ବୁକ୍, ହ୍ବାଟ୍ସଆପ୍ ଓ ଟୁଇଟର ଜରିଆରେ ସମାଜକୁ ସଚେତନ କରାଯାଇପାରିବ। ଆମର ପରିବେଶ ବିରୋଧୀ ସଂସ୍କାର ଜାରି ରହିଲେ ଧରିତ୍ରୀ ଆଉ ବାସୋପଯୋଗୀ ଗ୍ରହ ହୋଇ ରହିବ ନାହିଁ। ଆମ ପାଖରେ ଆଉ ସମୟ ନାହିଁ। ସମଗ୍ର ପୃଥିବୀବାସୀଙ୍କର ପ୍ରୟାସ ଜାରି ରହିଲେ ଜାଗତିକ ସମସ୍ୟାର ସମାଧାନ ଅସମ୍ଭବ ନୁହେଁ। ତେଣୁ ଏହି ଦିଗରେ ସମସ୍ତଙ୍କର ଆନ୍ତରିକତା ଏକାନ୍ତ ଆବଶ୍ୟକ।
-କମଳାକାନ୍ତ ଜେନା
ଓଡ଼ିଶା ଶିକ୍ଷା ସେବା (ଏ), ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ:୯୪୩୯୫୦୧୬୫୧