Categories: ଫୁରସତ

ଖୋଲିଲା ବିଶ୍ୱର ପ୍ରଥମ ସୁନାର ହୋଟେଲ

ସୁନାର ଅଳଙ୍କାର ନୁହେଁ ବରଂ ସୁନାର ହେଟେଲ। ଯେଉଁଠି ଆପଣ ସୁନାର ଥାଳିରେ ଖାଇପାରିବେ, ସୁନା ପଲଙ୍କରେ ଶୋଇପାରିବେ, ସୁନାର ପୁଲ୍‌ରେ ଗାଧୋଇବାର ମଜା ନେଇପାରିବେ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭିଏତନାମର ରାଜଧାନୀ ହାନୋଇରେ ରହିଛି ଏଭଳି ଏକ ହୋଟେଲ। ଏହାର କବାଟ, ଝରକାଠାରୁ ଆରମ୍ଭ କରି ବାଥ୍‌ରୁମ୍‌, ଖାଇବା ଟେବୁଲ, ଖାଦ୍ୟ ପରସା ଯାଉଥିବା ଥାଳି, ଚାମଚ, କପ୍‌ ଆଦି ସବୁକିଛି ସୁନାର। ଗୁରୁବାର ଏହି ହୋଟେଲର ଶୁଭାରମ୍ଭ କରାଯାଇଛି।

ସୁନାର ଏହି ହୋଟେଲର ନାମ ରହିଛି ଡୋଲ୍ସ ହାନୋଇ ଗୋଲ୍ଡେନ୍‌ ଲେକ୍‌। ଏହା ଏକ ପଞ୍ଚତାରକା ହୋଟେଲ। ଏଠାରେ ୪୦୦ କୋଠରୀ ରହିଛି। ହୋଟେଲର ବାହାର କାନ୍ଥରେ ୫୪ ହଜାର ବର୍ଗ ଫୁଟର ଗୋଲ୍ଡ ପ୍ଲେଟେଡ୍‌ ଟାଇଲ୍ସ ଲଗାଯାଇଛି। ଲବିରେ ରହିଥିବା ଫର୍ଣ୍ଣିଚର ଏବଂ ସାଜସଜ୍ଜା ଆଦିକୁ ସୁନାରେ କରାଯାଇଛି। ସେହିଭଳି ବାଥରୁମ୍‌(ଶୌଚାଳୟ)ରେ ଥିବା ବାଥଟବ୍‌, ସିଙ୍କ, ସାଓ୍ବାରଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷରେ ସୁନା ପ୍ଲେଟିଂ ଦିଆଯାଇଛି। ଛାତ ଉପରେ ଇନ୍‌ଫିନିଟି ପୁଲ୍‌ ନିର୍ମାଣ କରାଯାଇଛି। ଏଠାରେ ଯେ କେହି ହନୋଇ ସହରର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବ। ହୋଟେଲ୍‌ର କର୍ମଚାରୀଙ୍କ ଡ୍ରେସ୍‌କୋର୍ଡ ରହିଛି। ସେମାନେ ନାଲି ଏବଂ ସୁନେଲୀ ରଙ୍ଗର ପୋଷାକ ପରିଧାନ କରୁଛନ୍ତି। ସର୍ବସାଧାରଣଙ୍କ ପାଇଁ ହୋଟେଲ ଖୋଲିବା ପରେ ଅତିଥିମାନେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।

୨୦୦୯ ମସିହାରେ ହୋଟେଲର ନିର୍ମାଣ ଆରମ୍ଭ ହୋଇଥିଲା। ଏହାକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ସମ୍ଭାନ୍ତ ହୋଟେଲ ମାନ୍ୟତା ମିଳିଛି। ହୋଟେଲରେ ୬ ପ୍ରକାରର କୋଟରୀ ରହିଛି। ପ୍ରେସିଡେନ୍ସିଆଲ୍‌ ସୁଇଟ୍‌ରେ ରହିବା ଲାଗି ଗୋଟିଏ ରାତିକୁ ୪.୮୫ ଲକ୍ଷ ଦେବାକୁ ପଡ଼ିବ। ସେହିଭଳି ବେଡ୍‌ରୁମ୍‌ ସୁଇଟରେ ଗୋଟିଏ ରାତି ପାଇଁ ୭୫ ହଜାର ଦେବାକୁ ପଡ଼ିବ। ହୋଟେଲରେ ଥିବା ଗେମିଂ କ୍ଲବ୍‌, କସିନୋ ଏବଂ ପୋକର୍‌ ଆଦି ଖେଳକୁ ମଧ୍ୟ ଅତିଥିମାନେ ଉପଭୋଗ କରିପାରିବେ।

Share