ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍‌ଏନ୍‌

ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍‌ ସ୍ବାସ୍ଥ୍ୟ ନେଟଓ୍ବାର୍କ(ଡବ୍ଲୁଏଚ୍‌ଏନ୍‌) ମହାମାରୀ ବୋଲି ଘୋଷଣା କରିଛି। ଡବ୍ଲୁଏଚ୍‌ଏନ୍‌ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ବିଶ୍ୱର ୫୮ଟି ଦେଶରେ ୩,୪୧୭ ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି। ବର୍ତ୍ତମାନ ଏହା ଉପରେ ଚିନ୍ତା ପ୍ରକଟ କରି ଡବ୍ଲୁଏଚ୍‌ଏନ୍‌ ମଙ୍କିପକ୍ସକୁ ମହାମାରୀ ବୋଲି ଘୋଷଣା କରିଛି। ଏଥିସହ ଓ୍ବାଲ୍ଡ ହେଲଥ୍‌ ଅର୍ଗାନାଇଜେସନ(ଡବ୍ଲୁଏଚ୍‌ଓ)କୁ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡବ୍ଲୁଏଚ୍‌ଏନ୍‌ ପକ୍ଷରୁ ସୁପାରିଶ କରାଯାଇଛି। ଏମ୍ସର ଆସିଷ୍ଟାଣ୍ଟ ପ୍ରଫେସର ଡ. ଯୁଧିଷ୍ଠିର ସିଂ କହିଛନ୍ତି, ମଙ୍କିପକ୍ସ ବିପଦ ଦ୍ରୁତ ଗତିରେ ଏବେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ ପ୍ରାଣୀମାନଙ୍କଠାରୁ ପ୍ରାଣୀଙ୍କୁ ବ୍ୟାପିଥାଏ। ଯାହା ଏବେ ବିଶ୍ୱ ପାଇଁ ଚିନ୍ତାଜନକ ପାଲଟିଛି। ଡବ୍ଲୁଏଚ୍‌ଏନ୍‌ ହେଉଛି ଏକ ବିଶ୍ୱସ୍ତରୀୟ ୱାଚଡଗ୍‌ ସଂସ୍ଥା ବୋଲି ଯୁଧିଷ୍ଠିର ସିଂ କହିଛନ୍ତି। ଯିଏ ଏହା ଉପରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଡବ୍ଲୁଏଚ୍‌ଓକୁ ସୁପାରିଶ କରିଛନ୍ତି। ଏଥିସହ ଡବ୍ଲୁଏଚ୍‌ଏନ୍‌ ଏହାକୁ ମହାମାରୀ ବୋଲି ଘୋଷଣା କରିଛି। ଯଦିଓ ଭାରତରେ ଏହାର ମାମଲା ବହୁତ କମ୍‌ ରହିଛି କିନ୍ତୁ ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ଯୁଧିଷ୍ଠିର କହିଛନ୍ତି। ଏହାକୁ ରୋକିବା ଏବଂ ଏଥିରୁ ବର୍ତ୍ତିବା ପାଇଁ ଓ୍ବାଲ୍ଡ ହେଲଥ୍‌ ନେଟୱାର୍କ ଆହ୍ବାନ ଦେଇଛି। ସୂଚନାଯୋଗ୍ୟ, ଡବ୍ଲୁଏଚ୍‌ଓ ବୈଠକର ଠିକ୍‌ ପୂର୍ବରୁ ଏହି ଘୋଷଣା କରି ଡବ୍ଲୁଏଚ୍‌ଏନ୍‌ ଏହାକୁ ଏକ ଗୁରୁତର ସଙ୍କଟ ଭାବେ ସାମ୍ନାକୁ ଆଣିଛି। ଡବ୍ଲୁଏଚ୍‌ଏନ୍‌ର ସହ-ପ୍ରତିଷ୍ଠାତା ଏକ ପ୍ରେସ ବିଜ୍ଞପ୍ତି ଜାରି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା ନ କରିବାର ଫଳାଫଳ ସମସ୍ତେ ଦେଖିଛନ୍ତି ତେଣୁ କାହାର ଅପେକ୍ଷା ନ କରି ଏହାକୁ ମହାମାରୀ ଘୋଷଣା କରିବାକୁ ପଡିବ ସେ କହିଛନ୍ତି। ମଙ୍କିପକ୍ସ ଭାଇରସ୍‌ ଧିରେ ଧିରେ ଅନେକ ମହାଦ୍ୱୀପରେ ନିଜର ବିସ୍ତାର କରିବାରେ ଲାଗିଛି।

Share