ଡବ୍ଲୁଏଚ୍‌ଓର ଚେତାବନୀ: ଆହୁରି କଠିନ ହେବ କରୋନା

ଜେନେଭା,୧୪।୧: ସାରା ବିଶ୍ୱ କରୋନାଠାରୁ ମୁକ୍ତି ଚାହୁଁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇଛି। କରୋନା ମହାମାରୀର ଦ୍ୱିତୀୟ ଅବଧି ପ୍ରଥମ ବର୍ଷ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମେ କରୋନାର ଦ୍ୱିତୀୟ ବର୍ଷକୁ ଯାଉଛୁ, ଯାହାର ଗତିଶୀଳତା ପୂର୍ବାପେକ୍ଷା ଅଧିକ ରହିବ। ତେଣୁ ଏହା ଏକ କଠିନ ବର୍ଷ ବୋଲି ପ୍ରମାଣିତ ହୋଇପାରେ। ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୨୦୨୦ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ମହାମାରୀ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ ବିଶ୍ୱରେ ୯.୨୧ କୋଟି ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ୧୯.୭ ଲକ୍ଷ ଏବେ ରୋଗୀ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ପଟେ କରୋନା ମାମଲା ଆସୁଛି, ଅନ୍ୟପଟେ ଅନେକ ଦେଶରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତରେ ମଧ୍ୟ ଟିକାକରଣ ପ୍ରକ୍ରିୟା ଜାନୁୟାରୀ ୧୬ରୁ ଆରମ୍ଭ ହେବ।

Share