ଅଲ-ଶିଫା ହସ୍ପିଟାଲକୁ ଡେଥ୍‌ ଜୋନ ଘୋଷଣା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୯।୧୧ : ଇସ୍ରାଏଲ-ହାମାସ ଯୁଦ୍ଧର ଦେଢ଼ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଏହି ସମୟରେ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଗାଜାର ଅଲ-ଶିଫା ହସ୍ପିଟାଲକୁ ଏକ ଡେଥ୍‌ ଜୋନ ବୋଲି ଘୋଷଣା କରିଛି। ଶନିବାର ଶତାଧିକ ରୋଗୀ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଥିଲେ। ତଥାପି ହସ୍ପିଟାଲରେ ୨୫ଜଣ କର୍ମଚାରୀ, ୨୯୧ ରୋଗୀ ଏବଂ ୩୨ ନବଜାତ ଶିଶୁ ଅଛନ୍ତି।

ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଆମେରିକା ଶୀଘ୍ର ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚୁକ୍ତି କରିପାରେ। ରିପୋର୍ଟ ଅନୁଯାୟୀ, କତାର ମଧ୍ୟ ଏଥିରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଛି। ଚୁକ୍ତିନାମା ଅନୁଯାୟୀ, ବନ୍ଧକମାନଙ୍କୁ ମୁକ୍ତ କରିବା ବଦଳରେ ୫ ଦିନର ଅସ୍ତ୍ରବିରତି ହୋଇପାରେ। ତେବେ ହ୍ବାଇଟ ହାଉସର ମୁଖପାତ୍ର ଖବରକାଗଜ ରିପୋର୍ଟକୁ ଅସ୍ବୀକାର କରି କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏଭଳି ଡିଲ କରାଯାଇ ନାହିଁ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଶନିବାର ଏକ ସାକ୍ଷାତକାରରେ କହିଛନ୍ତି ଗାଜାରେ ଏବଂ ବାହାରେ ଉପସ୍ଥିତ ହମାସର ସମସ୍ତ ଲୋକ ଆମ ପାଇଁ ଜୀବନ୍ତ ଶବ ଅଟନ୍ତି। ଅନ୍ତର୍ଜାତୀୟ ସମ୍ପ୍ରଦାୟରୁ ଆମ ଉପରେ କ୍ରମାଗତ ଚାପ ରହିଛି।

 

Share