ନୂଆଦିଲ୍ଲୀ,୩।୪: କରୋନା ଟିକା କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ)। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନ ଯୋଗାଣ ଉପରେ ରୋକ ଲଗାଯାଇଥିବା ନେଇ ଡବ୍ୟୁଏଚ୍ଓ ପକ୍ଷରୁ ସୂଚନା ଦିଆଯାଇଛି।
ଡବ୍ୟୁଏଚ୍ଓ କହିବା ମୁତାବକ, ଏହାର ନିରାପତ୍ତାକୁ ନେଇ କୌଣସି ଆଶଙ୍କା ନାହିଁ। ହେଲେ ଏହି ପ୍ରତିବନ୍ଧକ ଦ୍ୱାରା କୋଭାକ୍ସିନ ଯୋଗାଣରେ ସାମାନ୍ୟ ବାଧା ସୃଷ୍ଟି ହେବ। ତେବେ ମାର୍ଚ୍ଚ ୧୪ରୁ ୨୨ ପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକା ଯାଞ୍ଚର ଫଳାଫଳ ଉତ୍ତରରେ ଏହି ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି। ଟିକା ଉତ୍ପାଦନକାରୀ ବାୟୋଟେକ ମଧ୍ୟ ରପ୍ତାନି ପାଇଁ କୋଭାକ୍ସିନ ଉତ୍ପାଦନକୁ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛି।
ହାଇଦ୍ରାବାଦ ସ୍ଥିତ ବାୟୋଟେକ କମ୍ପାନୀ କହିଛି ଯେ, ଏହି ପ୍ରତିବନ୍ଧକ ଦ୍ୱାରା କରୋନା ଟିକା କୋଭାକ୍ସିନର ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଭାବ ପଡିବ ନାହିଁ।