ଜେନେଭା,୬।୧୦ : ଭାରତୀୟ କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ ଚାରୋଟି କଫ୍ ଏବଂ ଥଣ୍ଡା ସିରପ୍କୁୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ ଏକ ସତର୍କ ସୂଚନା ଜାରି କରିଛି। ସଂଗଠନ କହିଛି ଯେ ଏହି କଫ୍ ସିରପ୍ ଗାମ୍ବିଆ ଦେଶରେ ୬୬ ପିଲାଙ୍କ ମୃତ୍ୟୁର କାରଣ ହୋଇପାରେ।
ସ୍ବାସ୍ଥ୍ୟ ସଂଗଠନ ଏହାର ଏକ ଡାକ୍ତରୀ ଆଲର୍ଟରେ କହିଛି ଯେ ଲାବୋରେଟୋରୀରେ ବିଶ୍ଳେଷଣ କରାଯାଇଥିବା ଚାରୋଟି ଉତ୍ପାଦର ନମୁନା ନିଶ୍ଚିତ କରିଛି ଯେ ଏହି ଉତ୍ପାଦଗୁଡିକରେ ଥିବା ଡାଏଥାଇଲନ ଗ୍ଲାଇକଲ ଏବଂ ଏଥିଲିନ ଗ୍ଲାଇକଲର ମାତ୍ରା ଗ୍ରହଣୀୟ ନୁହେଁ। ସଂଗଠନ ଚେତାବନୀ ଦେଇଛି ଯେ ଏଗୁଡିକୁ ଅନ୍ୟ ଦେଶକୁ ମଧ୍ୟ ବଣ୍ଟନ କରାଯାଇପାରେ। ତେଣୁ ସତର୍କତା ଜରୁରୀ।
ଏହି ପ୍ରସଙ୍ଗରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟସସ କହିଛନ୍ତି ଯେ ଏହି ଚାରୋଟି ଔଷଧରେ ଭାରତରେ ମେଡେନ ଫାର୍ମାସ୍ୟୁଟିକାଲ ଲିମିଟେଡ ଦ୍ୱାରା ପ୍ରସ୍ତୁତ କାଶ ଏବଂ ଥଣ୍ଡା ସିରପ ଅନ୍ତର୍ଭୁକ୍ତ। ରୋଗୀମାନଙ୍କର ଅଧିକ କ୍ଷତି ନହେବା ପାଇଁ ସଂଗଠନ ସମସ୍ତ ଦେଶରେ ଏହିପରି ଉତ୍ପାଦ ଚିହ୍ନଟ ଏବଂ ଅପସାରଣ ପାଇଁ ପରାମର୍ଶ ଦେଇଛି।
ଗତ ସେପ୍ଟେମ୍ବର ମାସରେ ଗାମ୍ବିଆରେ ୬୬ ପିଲାଙ୍କର ମୃତ୍ୟୁ ହୋଇଥିଲା। କୌଣସି କଫ୍ ସିରପ୍ ସେମାନଙ୍କୁ ଦିଆଯିବା ପରେ ପିଲାମାନଙ୍କର କିଡନୀରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ସରକାର ଏହି ମୃତ୍ୟୁ ପଛର କାରଣ ଅନୁସନ୍ଧାନ କରୁଛନ୍ତି।