Categories: ଜାତୀୟ

ବିଶ୍ୱ କ୍ଷୁଧା ସୂଚକାଙ୍କ:୪ ସ୍ଥାନ ଖସିଲା ଭାରତ

ନୂଆଦିଲ୍ଲୀ,୧୩ା୧୦:ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୪ ସ୍ଥାନ ତଳକୁ ଖସିଛି। ୧୨୫ ଦେଶକୁ ନେଇ କରାଯାଇଥିବା ଆକଳନରୁ ଭାରତ ୨୮.୭ ସ୍କୋର ସହ ୧୧୧ତମ ସ୍ଥାନରେ ରହିଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବୋଲି ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଶିଶୁ ଅପପୁଷ୍ଟି ହାର ସର୍ବାଧିକ ୧୮.୭ ପ୍ରତିଶତ ରହିଛି। ୨୦୨୨ରେ ୧୨୧ ଦେଶକୁ ନିଆଯାଇ କରାଯାଇଥିବା ସର୍ଭେରେ ଭାରତର ର଼୍ୟାଙ୍କ୍‌ ୧୦୭ ରହିଥିଲା।
ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ହେଉଛି ଏକ ବିସ୍ତୃତ ପରିମାପକ ଯାହା ଦ୍ୱାରା ବୈଶ୍ୱିକ, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ କ୍ଷୁଧିତଙ୍କୁ ଚିହ୍ନଟ କରାଯାଇଥାଏ। ସୂଚକାଙ୍କରେ ପଡୋଶୀ ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ଭଲ ସ୍ଥିତିରେ ଅଛନ୍ତି। ପାକିସ୍ତାନ ୧୦୨ରେ ର଼୍ୟାଙ୍ଗ୍‌ରେ ରହିଥିବାବେଳେ ବାଂଲାଦେଶ ୮୧, ନେପାଳ ୬୯ ଏବଂ ଶ୍ରୀଲଙ୍କା ୬୦ତମ ସ୍ଥାନରେ ରହିଛି। ସାରା ବିଶ୍ୱରେ ଶିଶୁ ଅପପୁଷ୍ଟିରେ ଭାରତ ଶୀର୍ଷରେ ରହିଥିବାରୁ ଏହା ଅତ୍ୟଧିକ କୁପୋଷଣର ପ୍ରତିଫଳନ ବୋଲି ଇଣ୍ଡେକ୍ସ ଆଧାରିତ ରିପୋର୍ଟରେ କୁହାଯାଇଛି। ସୂଚକାଙ୍କ ଅନୁଯାୟୀ ଭାରତରେ ୧୬.୬ ପ୍ରତିଶତ ଅଧାପେଟରେ ରହୁଛନ୍ତି। ଏଠାରେ ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ୩.୧ ପ୍ରତିଶତ ରହିଛି। ରିପୋର୍ଟରେ ଆହୁରି କୁହାଯାଇଛି, ଭାରତରେ ୧୫ରୁ ୨୪ ବର୍ଷ ବୟସ ବର୍ଗର ମହିଳାମାନଙ୍କଠାରେ ରକ୍ତହୀନତା ହାର ୫୮.୧ ପ୍ରତିଶତ। ଭାରତ ୧୧୧ତମ ସ୍ଥାନରେ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ, ୨୦୨୩କୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି।
ଏହା କ୍ଷୁଧାର ଏକ ତ୍ରୁଟିପୂର୍ଣ୍ଣ ପରିମାପ, ଯାହା ଦେଶର ବାସ୍ତବ ସ୍ଥିତିକୁ ପ୍ରଦର୍ଶନ କରାଉନାହିଁ। ଏହା ଗୁରୁତର ପଦ୍ଧତିଗତ ପ୍ରସଙ୍ଗ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଦର୍ଶନ କରୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି। ସରକାରଙ୍କ ପୋଷଣ ଟ୍ରାକରରେ ଅପ୍‌ଲୋଡ୍‌ କରାଯାଇଥିବା ତଥ୍ୟ ଅନୁଯାୟୀ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ମାପଗତ ତଥ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୨୩ ଏପ୍ରିଲରେ ଏହା ୬.୩୪ କୋଟି ଥିବାବେଳେ ସେପ୍ଟେମ୍ବରରେ ୭.୨୪ କୋଟିରେ ପହଞ୍ଚିଛି। ସେହିପରି ପୋଷଣ ଟ୍ରାକର ଅନୁଯାୟୀ ଶିଶୁ କୁପୋଷଣ କ୍ରମାଗତ ଭାବେ ୭.୨ ପ୍ରତିଶତ ରହୁଥିବାବେଳେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଏହାକୁ ୧୮.୭ ପ୍ରତିଶତ ଦର୍ଶାଯାଇଛି।

Share