ଶୁଭେଚ୍ଛା ଜଣାଇଲେ ପୁଟିନ, ମାକ୍ରୋନ୍‌: ଭାରତ-ରୁଷିଆ ସମ୍ପର୍କ ସ୍ବତନ୍ତ୍ର

ଓ୍ବାଶିଂଟନ୍‌/ପ୍ୟାରିସ୍‌,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶ ଓ ଦେଶ ବାହାରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ସହଯୋଗର ପ୍ରତିଶ୍ରୁତି ଦେଇ ଅନେକ ବିଶ୍ୱସ୍ତରୀୟ ନେତା ଦେଶକୁ ଅଭିବାଦନ ଜଣାଇଛନ୍ତି। ଭାରତକୁ ଅଭିନନ୍ଦନ ଜଣାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବାକୁ ସୁନିଶ୍ଚିତ କରିଛନ୍ତି। ଗତ ୭୫ ବର୍ଷ ମଧ୍ୟରେ ଭାରତର ସଫଳତାକୁ ପ୍ରଶଂସା କରି ମାକ୍ରୋନ ତାଙ୍କ ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି ଏବଂ ଭାରତବାସୀଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛି। ଫ୍ରାନ୍ସ ଓ ଭାରତ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ସର୍ବଦା ଅତୁଟ ରହିବ। ଏପରିକି ଭାରତ ଫ୍ରାନ୍ସକୁ ଭରସା କରିପାରେ ବୋଲି ମାକ୍ରୋନ କହିଛନ୍ତି। ଅନ୍ୟପକ୍ଷେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଭାରତର ସ୍ବାଧୀନତା ଦିବସରେ ଭାରତୀୟ ନେତୃତ୍ୱ ଏବଂ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ପ୍ରିୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାରତ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ମୋର ଶୁଭେଚ୍ଛା ଗ୍ରହଣ କରନ୍ତୁ। ସ୍ବାଧୀନ ବିକାଶର ଦଶନ୍ଧିରେ ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଛି। ଏଥିସହ ସେ କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ବଡ଼ ଖ୍ୟାତି ଅର୍ଜନ କରିବା ସହ ଅନ୍ତର୍ଜାତୀୟ ଏଜେଣ୍ଡା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ରୁଷିଆ-ଭାରତ ସମ୍ପର୍କ ଏକ ସ୍ବତନ୍ତ୍ର ବୋଲି ପୁଟିନ୍‌ କହିଛନ୍ତି।

Share