ଡ. ପ୍ରଫୁଲ୍ଲ କୁମାର ସାହୁ
ଯୁଦ୍ଧ ହେଉଛି ସଭ୍ୟତାର ସବୁଠାରୁ ଭୟାନକ ଓ ବିଭତ୍ସ ଇତିହାସ। ମାନବ ସଭ୍ୟତାର ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି ସେଥିରେ କେବଳ ଅକାଳରେ ଝରି ପଡ଼ିଛି ଅନେକ ମୂଲ୍ୟବାନ ଜୀବନ। ଭାଙ୍ଗିପଡ଼ିଛି ସମୃଦ୍ଧିର ସୌଧ। ବିପର୍ଯ୍ୟସ୍ତ ହୋଇଛି ଅର୍ଥନୀତି। ବାସ୍ତୁହରା ହୋଇଛନ୍ତି ଅସଂଖ୍ୟ ନିରୀହ ମଣିଷ। ହେଲେ ଏ କ୍ଷୟକ୍ଷତିରୁ କ’ଣ ଶିକ୍ଷା କରେ ମଣିଷ? ଇତିହାସ କହେ କଳିଙ୍ଗ ଯୁଦ୍ଧର ରକ୍ତାକ୍ତ ସଂଘର୍ଷ ଓ ନରସଂହାର ପ୍ରଚଣ୍ଡ ପରାକ୍ରମୀ ସମ୍ରାଟ ଚଣ୍ଡାଶୋକଙ୍କୁ ଶିଖାଇଥିଲା ଶାନ୍ତି ଓ ସଦ୍ଭାବନାର ମନ୍ତ୍ର। ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକା ପରେ ଯୁଦ୍ଧକୁ ନେଇ ସାରା ବିଶ୍ବରେ ସୃଷ୍ଟି ହେଲା ଏକ ଅନାସ୍ଥା ଭାବ। ଦେଶ ଦେଶ ଭିତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏକାଠି ହେଲେ ଅନେକ ରାଷ୍ଟ୍ରମୁଖ୍ୟ। ଆରମ୍ଭ ହେଲା ବିଚାର ବିମର୍ଶ। ତା’ର ଫଳ ସ୍ବରୂପ ଦ୍ବିତୀୟ ବିଶ୍ବଯୁଦ୍ଧର ଧ୍ବଂସ ସ୍ତୂପ ମଧ୍ୟରୁ ଜନ୍ମନେଲା (୧୯୪୫ ଅକ୍ଟୋବର ୨୪) ମିଳିତ ଜାତିସଂଘ। ପୃଥିବୀ ମାନଚିତ୍ର ସହିତ ଦୁଇଟି ଅଲିଭ ବୃକ୍ଷର ଚିତ୍ରଥିବା ଜାତିସଂଘର ନୀଳ ରଙ୍ଗର ପତାକା ହେଉଛି ଶାନ୍ତି, ମୈତ୍ରୀ ଓ ଐକ୍ୟର ପ୍ରତୀକ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହିଁ ଜାତିସଂଘର ପ୍ରଧାନ ଲକ୍ଷ୍ୟ। ଜାତିସଂଘ ତା’ର ଜନ୍ମଲଗ୍ନରୁ ଏକଥା ସନନ୍ଦ ମାଧ୍ୟମରେ ଘୋଷଣା କରିଛି ଏବଂ ଦେଶ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠନ କରିଛି ନିରାପତ୍ତା ପରିଷଦ। ପରିଚାଳନାଗତ ସୁବିଧା ପାଇଁ ସାଧାରଣ ପରିଷଦ, ନିରାପତ୍ତା ପରିଷଦ, ଅର୍ଥନୀତିକ ଓ ସାମାଜିକ ପରିଷଦ, ଆନ୍ତର୍ଜାତିକ ବିଚାର ଅଦାଲତ ଆଦି ଜାତିସଂଘର ଯେତେ ପରିଷଦ ରହିଛି, ସେସବୁ ମଧ୍ୟରେ ବେଶି ଶକ୍ତିଶାଳୀ ହେଉଛି ନିରାପତ୍ତା ପରିଷଦ। ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଭଳି ବୃହତ୍ ଶକ୍ତିମାନଙ୍କୁ ମିଳିଛି ଏହି ପରିଷଦର ସ୍ଥାୟୀ ସଦସ୍ୟ ପଦ। ଏକକ ଭାବରେ ଏହି ପାଞ୍ଚଟି ରାଷ୍ଟ୍ର ପାଖରେ ହିଁ ରହିଛି ନିରାପତ୍ତା ପରିଷଦର ସିଦ୍ଧାନ୍ତକୁ ଅଚଳ କରିଦେବାର ଭିଟୋ କ୍ଷମତା। ଜାତିସଂଘ ଗଠନ ପରେ ଆଶ୍ବସ୍ତ ହୋଇଥିଲା ଯୁଦ୍ଧୋତ୍ତର ପୃଥିବୀ।
ଚିନ୍ତାଶୀଳ ଲୋକେ ଭାବିଥିଲେ ଜାତିସଂଘର ହସ୍ତକ୍ଷେପ ଫଳରେ ପୃଥିବୀରେ ଆଉ ପରମାଣୁ ବୋମା ତିଆରି ହେବନି କି ରହିବନି ଯୁଦ୍ଧର ଭୟ। ଦେଶ ଦେଶ ଭିତରେ ଉତ୍ତେଜନା ହ୍ରାସ ପାଇବା ସହିତ ତିଆରି ହେବ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ମାତ୍ର ବୃହତ୍ ଶକ୍ତିମାନଙ୍କର ଅହଂ ଆଗରେ ବ୍ୟର୍ଥ ହେଲା ଶାନ୍ତିକାମୀ ବିଶ୍ୱବାସୀଙ୍କ ଆଶା ଓ ବିଶ୍ବାସ।
ପରମାଣୁ ଅସ୍ତ୍ର ଉପରେ ଆମେରିକାର ଏକଚାଟିଆ ଅଧିକାରକୁ ନେଇ ବାଧାପ୍ରାପ୍ତ ହେଲା ନିରସ୍ତ୍ରୀକରଣ ପ୍ରକ୍ରିୟା। ଆମେରିକାର ଆଧିପତ୍ୟକୁ ଅସ୍ବୀକାର କରି ଦ୍ବିତୀୟ ଅଣୁଶକ୍ତି ଭାବରେ ଉଭା ହେଲା (୧୯୪୯) ସୋଭିଏଟ୍ ରୁଷ। ଠିକ୍ ତା’ର ତିନି ବର୍ଷ ପରେ(୧୯୫୨)ସଫଳତାର ସହ ଆଣବିକ ପରୀକ୍ଷା କଲା ବ୍ରିଟେନ। ପରବର୍ତ୍ତୀ ସମୟରେ ଆତ୍ମରକ୍ଷାର ଦ୍ବାହିଦେଇ ଅଣୁଅସ୍ତ୍ରର ଅଧିକାରୀ ହେଲେ ଚାଇନା, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଓ ଇସ୍ରାଏଲ ଆଦି ଅନେକ ରାଷ୍ଟ୍ର।
ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ବାନ, ଅନ୍ୟ ପଟରେ ପରସ୍ପର ରକ୍ତରେ ସ୍ନାନ କରିବା ପାଇଁ ବୃହତ୍ ଶକ୍ତିମାନଙ୍କର ପରୋକ୍ଷ ରଣ ହୁଙ୍କାର। ଛୋଟ ଛୋଟ ଦେଶକୁ ମୋହରା ବନେଇ ସେମାନେ ବିଶ୍ବ ପାଇଁ ତିଆରି କରୁଛନ୍ତି ନୂଆ ନୂଆ ବିବାଦ। ଫଳରେ ଦେଶ ଦେଶ ଭିତରେ ବଢୁଛି ଉତ୍ତେଜନା। ପୃଥିବୀରେ ବୃଦ୍ଧିପାଉଛି ଯୁଦ୍ଧାସ୍ତ୍ରର ପରିମାଣ। କୁହାଯାଉଛି ୧୯୪୫ ପରେ ବିଶ୍ବର ଜନସଂଖ୍ୟା ଯେତେ ଗୁଣ ବଢ଼ିଛି, ପ୍ରାୟତଃ ତା’ର ଲକ୍ଷେ ଗୁଣ ବଢ଼ିଛି ପରମାଣୁ ଶକ୍ତି। ଅର୍ଥାତ୍ ଏବେ ଏକ ଅଣୁଗଦା ଉପରେ ଠିଆ ହୋଇଛି ଆଧୁନିକ ବିଶ୍ବ। ଏଭଳି ସ୍ଥିତିରେ ଜାତିସଂଘ ଖୋଜି ପାଉନି ଶାନ୍ତି ପ୍ରତିଷ୍ଠାର ବାଟ। ଗୋଟିଏ ପଟରେ ଦେଶ ଦେଶ ଭିତରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ଆହ୍ବାନ ଦେଇ ଆଜି (ସେପ୍ଟେମ୍ବର-୨୧) ପାଳନ କରୁଛି ଆନ୍ତର୍ଜାତିକ ଶାନ୍ତି ଦିବସ। ଅଥଚ ଆଫଗାନିସ୍ତାନରେ ତାଲିବାନ ଚଳେଇ ଥିବା ବର୍ବରତାକୁ ବିିରୋଧ କରିପାରୁନି ଅନ୍ଧ ଧୃତରାଷ୍ଟ୍ରଙ୍କ ପରି। କାରଣ ସାମ୍ରାଜ୍ୟବାଦର ଔଦ୍ଧତ୍ୟ ଆଗରେ ଜାତିସଂଘ ପାଲଟି ଯାଇଛି ତର୍କ ଓ ପ୍ରସ୍ତାବର କେବଳ ଏକ ଅସହାୟ ମଞ୍ଚ। ବିଶ୍ବ ରାଜନୀତିରେ ଦଖଲ ରଖିଥିବା ବିଶେଷଜ୍ଞଙ୍କ ମତରେ ଜାତିସଂଘ ଯଦି ଆରମ୍ଭରୁ ନିରପେକ୍ଷ ରହି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ନିଷ୍ଠାପର ଉଦ୍ୟମ କରିଥାନ୍ତା, ତେବେ ନିଶ୍ଚୟ ରୋକାଯାଇ ପାରିଥାନ୍ତା ଭାରତ-ଚାଇନା, ଭାରତ-ପାକିସ୍ତାନ, ଆମେରିକା-ଭିଏତ୍ନାମ ଓ ଇରାକ-ଇରାନ ତଥା ଆହୁରି ଅନେକ ଯୁଦ୍ଧ। ଆତଙ୍କବାଦୀ ବର୍ବରତାରେ ବିଶ୍ବ ଆଜି ଜର୍ଜରିତ ହେଉ ନ ଥାନ୍ତା କି ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଶାସନ କରିବାକୁ ସାହସ କରି ନ ଥାନ୍ତା ତାଲିବାନ। ଉତ୍କଳ ଗୌରବ ମଧୁସୂଦନ ଲେଖିଥିଲେ-‘ଜାତିର ଉନ୍ନତି ସେ କାହୁଁ କରିବ ସ୍ବାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ!’ ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ମାରଣାସ୍ତ୍ର ନିର୍ମାଣରେ ଯେଉଁମାନଙ୍କର ବିଳାସ, ଜାତିସଂଘ ଯଦି ସେହିମାନଙ୍କ ହାତର କ୍ରୀଡ଼ନକ ହୋଇଯାଏ ତେବେ କେମିତି ଆଗକୁ ବଢ଼ିବ ନିରସ୍ତ୍ରୀକରଣ ପ୍ରକ୍ରିୟା?
କଥାରେ ଅଛି ଲୁହାରେ ଯଦି କେବଳ ଖଣ୍ଡା ବର୍ଚ୍ଛା ତିଆରି ହୁଏ, ତେବେ ବୃଦ୍ଧିପାଏ ରକ୍ତପାତ। ମାତ୍ର ସେହି ଲୁହାରେ ଯଦି ଲଙ୍ଗଳର ଫାଳ ତିଆରି ହୁଏ, ତେବେ ବୃଦ୍ଧି ପାଏ କୃଷି ଉତ୍ପାଦନ। ଅର୍ଥାତ୍ ଯେଉଁ ଦେଶ ସମୃଦ୍ଧିଠାରୁ ସଂହାରକୁ ଅଧିକ ଗୁରୁତ୍ୱ ଦିଏ, ସେ ଦେଶରେ ବେସାମରିକ ଖର୍ଚ୍ଚକୁ ଟପିଯାଏ ସାମରିକ ଖର୍ଚ୍ଚ।
ବୃହତ୍ ଶକ୍ତିମାନଙ୍କ ସ୍ବାର୍ଥ ଆଗରେ ଉପରୋକ୍ତ ବିଚାର ଆଜି ଅର୍ଥହୀନ। ତେଣୁ ସାମରିକ ଖର୍ଚ୍ଚର ଶିଖର ଆରୋହଣ କରିବା ପାଇଁ ସେମାନଙ୍କ ଭିତରେ ଅହରହ ପ୍ରତିଯୋଗିତା ଚାଲିଛି ଏବଂ ସେହି କାରଣରୁ ପୃଥିବୀରେ ଏବେ ଆଶାତୀତ ଭାବେ ବଢ଼ି ଚାଲିଛି ଅସ୍ତ୍ରଶସ୍ତ୍ର କାରବାର। ପ୍ରତିବର୍ଷ ଏଥିପାଇଁ ବିନିଯୋଗ ହେଉଛି ହଜାର ହଜାର କୋଟି ଡଲାର। ଅନ୍ୟପକ୍ଷରେ ପୃଥିବୀରେ ଏବେ ପ୍ରତିଦିନ ଭୋକ ବିକଳରେ ପ୍ରାଣ ହରାଉଛନ୍ତି ହଜାର ହଜାର ଶିଶୁ। ଦୁଇ ତୃତୀୟାଂଶ ଲୋକ ଶଢୁଛନ୍ତି ଦାରିଦ୍ର୍ୟରେ। ସେମାନଙ୍କ ପାଇଁ ପାନୀୟ ଜଳ ନାହିଁ, ପେଟକୁ ଦାନା ନାହିଁ, ଦେହକୁ ବସ୍ତ୍ର ନାହିଁ, ମୁଣ୍ଡ ଉପରେ ଛାତ ନାହିଁ, ଅଥଚ ବିପୁଳ ଅର୍ଥ ବ୍ୟୟରେ ଯୁଦ୍ଧାସ୍ତ୍ର ମହଜୁଦ କରିବା ନିମନ୍ତେ ପଶ୍ଚାତ୍ପଦ ହେଉନି କୌଣସି ଦେଶ। ତଥ୍ୟ କହେ ପୃଥିବୀର ୫୨ ପ୍ରତିଶତ ବୈଜ୍ଞାନିକ ଏବେ ନିୟୋଜିତ ଅଛନ୍ତି ମାରଣାସ୍ତ୍ର ନିର୍ମାଣ କାର୍ଯ୍ୟରେ। ଅର୍ଥାତ୍ ଆଧୁନିକ ମଣିଷ ତା’ର ଶ୍ରେଷ୍ଠତମ ମେଧା ଉପଯୋଗ କରୁଛି ଅଧିକରୁ ଅଧିକ ଧ୍ବଂସକାରୀ ମାରଣାସ୍ତ୍ର ନିର୍ମାଣ କରିବାରେ। ସେଥିପାଇଁ ବିଖ୍ୟାତ ଦାର୍ଶନିକ ବରଣ୍ଟାଣ୍ଡ ରସେଲ କହିଥିଲେ-ଆଧୁନିକ ବିଶ୍ବରେ ଶାନ୍ତି ଏକ ବ୍ୟୋମଯାନ ପରି ଆକାଶରେ ଘୂରି ବୁଲୁଛି, ଯିଏ ଧରାବତରଣ ପାଇଁ ଖୋଜି ପାଉନି ପ୍ରକୃଷ୍ଟ ସ୍ଥାନ।
ସମଗ୍ର ବିଶ୍ବ ଗୋଟିଏ ଗୃହ। ସାରା ମଣିଷ ଜାତି ଗୋଟିଏ ପରିବାର। ସମସ୍ତ ସୃଷ୍ଟି ଗୋଟିଏ ସମଷ୍ଟି । ସେହି ସମଗ୍ରତା ମଧ୍ୟରୁ ମୁକ୍ତ ନୁହନ୍ତି କେହି। ମଣିଷର ଏହି ଉପଲବ୍ଧି ହିଁ ଶାନ୍ତି ପ୍ରକ୍ରିୟାର ମୂଳ କଥା। ମାତ୍ର ସେହି ମୂଳ ଉପରେ ବାରମ୍ବାର ଭାରି ପଡୁଛି ରାଜନୈତିକ ବିବାଦ, ଭୌଗୋଳିକ ସୀମା, କ୍ଷମତାଲିପ୍ସୁ ଅଭିଳାଷ, ମୌଳବାଦୀ ଆତଙ୍କ ଆଦି ନାନା ନକାରାତ୍ମକ ଶକ୍ତି। ମାତ୍ର ଏ ସବୁରି ଊର୍ଦ୍ଧ୍ୱରେ ମଣିଷପଣିଆ, ଯାହା ଅନେକ ସମୟରେ ବଦଳାଇ ଦିଏ ଇତିହାସର ମୋଡ଼। ବୋମା ପକାଇଥିବା ସାମରିକ ବିମାନର ପାଇଲଟ ଚାଲ୍ସ ଡୋନାଲ୍ଡ କହିଥିଲେ-‘ପୃଥିବୀ ଶାନ୍ତି ଚାହେଁ, ମାନବ ସଭ୍ୟତା ବଞ୍ଚି ରହିବା ପାଇଁ ବୋମା ନୁହେଁ, ବିଶ୍ବ ଭ୍ରାତୃତ୍ୱ ଲୋଡ଼ା।’
ବିକାଶ ଓ ଶାନ୍ତି ପରସ୍ପର ପରିପୂରକ। ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ, ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ବ ଭ୍ରାତୃତ୍ୱ ଭାବନା, ଯାହା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ସେଥିପାଇଁ ମହାଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ଭାରତ ହେଉଛି ପୃଥିବୀର ଆତ୍ମା। ଭାରତ ଦ୍ବାରା ସମ୍ଭବ ହେବ ପୃଥିବୀରେ ଶାନ୍ତି ପ୍ରତିଷ୍ଠା। ଭାରତ ହେଉଛି ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଦେଶ। ଏ ଦେଶ ଦିନେ ବିଶ୍ବରେ ପ୍ରଚାର କରିଥିଲା ଗୌତମ ବୁଦ୍ଧଙ୍କ ଶାନ୍ତି ଓ ପ୍ରେମର ବାଣୀ। ଗୌତମ ବୁଦ୍ଧଙ୍କ ପରି ଗାନ୍ଧୀ ଦର୍ଶନର ମୂଳମନ୍ତ୍ର ଥିଲା ସତ୍ୟ, ଶାନ୍ତି ଓ ଅହିଂସା। ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ଦିଗରେ ଭାରତୀୟଙ୍କ ଉପରେ ଗାନ୍ଧିଜୀଙ୍କର ଥିଲା ଅଖଣ୍ଡ ପ୍ରଭାବ। ଦେଶରେ ଶାନ୍ତିଭଙ୍ଗ ହେଲେ ସେ ଅନଶନ କରୁଥିଲେ, ଯା’କୁ ନେଇ ପ୍ରମାଦ ଗଣୁଥିଲେ ଉଭୟ ପକ୍ଷ। ଦୃଷ୍ଟାନ୍ତ ସ୍ବରୂପ ସ୍ବାଧୀନତାର ପ୍ରଥମ ସକାଳରେ ଦେଶରେ ଉତ୍କଟ ରୂପ ନେଇଥିବା ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ଗାନ୍ଧିଜୀ କଲିକତାରେ ଆରମ୍ଭ କଲେ ଅନଶନ। ଯେଉଁମାନେ ପରସ୍ପର ରକ୍ତରେ ସ୍ନାନ କରିବାକୁ ବାହାରି ଥିଲେ,ସେମାନେ ଗାନ୍ଧିଜୀଙ୍କ ନିକଟରେ ତରବାରି ସମର୍ପଣ କରି ବାଣ୍ଟିଲେ ସଦ୍ଭାବନା ବାର୍ତ୍ତା। ହିନ୍ଦୁ ମୁସଲମାନ କାନ୍ଧରେ କାନ୍ଧ ମିଳାଇ ବାହାର କଲେ ଶାନ୍ତି ଶୋଭାଯାତ୍ରା। କେଉଁଠି ‘ବନ୍ଦେ ମାତରମ୍’ ତ କେଉଁଠି ‘ସା ରେ ଜହାଁସେ ଅଛା’ ସଂଗୀତ ଧ୍ବନିରେ ମୁଖରିତ ହେଲା କଲିକତାର ଗଗନପବନ। ମୋହନ ଦାସଙ୍କ ମୋହିନୀ ଶକ୍ତି ବଳରେ ସେଠାରେ ଶାନ୍ତି ପୁନଃ ପ୍ରତିଷ୍ଠା ପରେ ସେ ଦିଲ୍ଲୀ ଫେରି ଆସିଲେ ଏବଂ ସମଗ୍ର ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜୀବନକୁ ଲଗାଇ ଦେଲେ ବାଜି। ଗାନ୍ଧିଜୀଙ୍କ ପାଇଁ ଅହିଂସା କେବେ ଏକ ଉପଦେଶ ନ ଥିଲା, ତାହା ଥିଲା ତାଙ୍କ ଜୀବନର କ୍ରିୟାତ୍ମକ ସିଦ୍ଧାନ୍ତ। ବିଶ୍ବ ଶାନ୍ତି ପାଇଁ ଏକ ବ୍ରହ୍ମାସ୍ତ୍ର। ତେଣୁ ଅହିଂସାର ମନ୍ତ୍ର ପଢ଼ି ସେ କେବଳ ଭାରତକୁ ସ୍ବାଧୀନ କରି ନ ଥିଲେ, ଏଥିସହିତ ଦୁନିଆକୁ ଦେଖାଇ ଦେଇଥିଲେ ବିନା ଅସ୍ତ୍ରରେ କେମିତି ଜିଣିହୁଏ କୋଟି କୋଟି ମଣିଷଙ୍କ ହୃଦୟ। ଗାନ୍ଧିଜୀଙ୍କର ଏହି ଆଦର୍ଶରେ ଉଦ୍ବୋଧିତ ହୋଇଛି ସମଗ୍ର ବିଶ୍ବ। ସେଥିପାଇଁ ତାଙ୍କ ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ କରୁଛି ମିଳିତ ଜାତିସଂଘ। ମାତ୍ର କାର୍ଯ୍ୟରେ ଗାନ୍ଧିବାଦକୁ ଅଣଦେଖା କରିବା ଫଳରେ ସମଗ୍ର ବିଶ୍ବ ଆଜି ଅଶାନ୍ତ। ପୃଥିବୀର ବିଭିନ୍ନ କୋଣରୁ ଶୁଭୁଛି ଯୁଦ୍ଧର ହୁଙ୍କାର। ମୌଳବାଦୀ ଚିନ୍ତାଧାରାକୁ ନେଇ ଭୟଙ୍କର ରୂପ ନେଉଛି ସନ୍ତ୍ରାସବାଦ। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାଷାରେ ‘-ଆଜିର ବିଶ୍ବଶାନ୍ତି ଓ ଯୁଦ୍ଧ- ଦୁଇଟି ଦ୍ବନ୍ଦ୍ୱାତ୍ମକ ମେରୁ ମଧ୍ୟରେ ଝୁଲୁଛି। ଗୋଟିଏ ପଟରେ ଶାନ୍ତି ପାଇଁ ବ୍ୟାକୁଳତା, ଅନ୍ୟ ପଟରେ ଯୁଦ୍ଧର କଳା ବାଦଲ।’ ଏହି ପରିପ୍ରେକ୍ଷୀରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ହୋଇପଡୁଛି ଗାନ୍ଧିଜୀଙ୍କ ଅହିଂସା ନୀତି। ତେଣୁ ଗାନ୍ଧୀ ବିଚାରକୁ ଛାଡ଼ି ଜାତିସଂଘର ହଜାରେ ପ୍ରୟାସ ସତ୍ତ୍ବେ ପୃଥିବୀରୁ ଗୋଳା ବାରୁଦ ଗନ୍ଧ ହଟିବନି କି ବିଶ୍ବ ବଗିଚାରେ ଫୁଟିବନି ଶାନ୍ତିର ପାରିଜାତ। ବରଂ ବିସ୍ତାରବାଦୀଙ୍କ ଭିଟୋ ମାଡ଼ରେ ପକ୍ଷାଘାତ ପୀଡିତ ହୋଇ ପଡ଼ିବ ମିଳିତ ଜାତିସଂଘ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ: ୬୩୭୧୬୪୨୪୬୪