ବିଶ୍ୱ ପ୍ରେସ୍ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ ମନେ ରଖିବା ପାଇଁ ଉତ୍ସର୍ଗୀକୃତ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମକୁ ବିବେଚନା କରାଯାଏ। ଏହା ସରକାର ଏବଂ ଲୋକଙ୍କୁ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ। ଏହି ଦିନ ଆମକୁ ସାମ୍ବାଦିକ ସ୍ବାଧୀନତାର ମହତ୍ତ୍ୱ ବିଷୟରେ କହିଥାଏ ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବାକୁ ପ୍ରେରଣା ଦେଇଥାଏ। ତେବେ ପ୍ରେସ୍ ସ୍ବାଧୀନତା ଦିବସର ଇତିହାସ ଏବଂ ଏହାର ଗୁରୁତ୍ୱ ବିଷୟରେ ଜାଣନ୍ତୁ…
୧୯୯୧ରେ ଆଫ୍ରିକୀୟ ସାମ୍ବାଦିକମାନେ ପ୍ରଥମ ଥର ପାଇଁ ସାମ୍ବାଦିକ ସ୍ବାଧୀନତା ପାଇଁ ସ୍ବର ଉତ୍ତୋଳନ କରିଥିଲେ। ମେ’ ୩ରେ ଏହି ସାମ୍ବାଦିକମାନେ ସାମ୍ବାଦିକ ସ୍ବାଧୀନତାର ନୀତି ସମ୍ବନ୍ଧରେ ଏକ ବିବୃତ୍ତି ଜାରି କରିଥିଲେ, ଯାହା ଓ୍ବିଣ୍ଡ୍ହୋକ୍ ଘୋଷଣାନାମା ଭାବରେ ମଧ୍ୟ ଜଣାଶୁଣା। ଦୁଇ ବର୍ଷ ପରେ ଅର୍ଥାତ୍ ୧୯୯୩ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମଥର ପାଇଁ ବିଶ୍ୱ ପ୍ରେସ୍ ସ୍ବାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ବିଶ୍ୱ ପ୍ରେସ୍ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ପାଳନ କରାଯାଏ।
ପରିବେଶ ସଙ୍କଟ ସାମ୍ନାରେ ଆଜି ସାମ୍ବାଦିକତା। ପରିବର୍ତ୍ତନଶୀଳ ଜଳବାୟୁ ଏବଂ ଜୈବ ବିବିଧତା ସଙ୍କଟ ଦ୍ୱାରା ଆଜି ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ କାହାଣୀ ଅନ୍ୟମାନଙ୍କୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେ ଆଗକୁ ଆସି ଆମ ପୃଥିବୀ ଏବଂ ଏହାର ଉତ୍ତମ ଭବିଷ୍ୟତ ପାଇଁ ଲଢ଼ନ୍ତି। ତେଣୁ ତାଙ୍କ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଏହି ଦିନ ପାଳନ କରାଯାଏ।
ସାମ୍ବାଦିକମାନେ ନିଜକୁ ବିପଦରେ ପକାଇ ଜନସାଧାରଣଙ୍କୁ ଜଣାଇବା ପାଇଁ କାର୍ଯ୍ୟ କରନ୍ତି। ସାମ୍ବାଦିକମାନେ ପ୍ରାୟତଃ ଆକ୍ରମଣର ଶିକାର ହୁଅନ୍ତି ଏବଂ ବେଳେବେଳେ ସେମାନଙ୍କ ହତ୍ୟା ଖବର ମଧ୍ୟ ସାମ୍ନାକୁ ଆସିଥାଏ। ଅନେକ ଥର ସେମାନଙ୍କ ସ୍ବରକୁ ଦମନ କରିବାକୁ ଚେଷ୍ଟା କରାଯାଏ। ତେଣୁ ଏହି ସମସ୍ତ ଅନ୍ୟାୟ ବିରୋଧରେ ଲଢ଼ିବା, ସାମ୍ବାଦିକ ଏବଂ ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।