Categories: ଫୁରସତ

ହିମାଳୟର ୧୮ ହଜାର ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ୱ ରେକର୍ଡ

କାଠମାଣ୍ଡୁ: ବିଶ୍ବରେ ଏପରି ବହୁ ସାହସୀ ଲୋକ ଅଛନ୍ତି ଯେଉଁମାନେ ନିଜ ନାମକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ଆଶ୍ଚର୍ଯ୍ୟଜନକ କାରନାମା କରି ଦେଖାଇଥାନ୍ତି। ଏହି କ୍ରମରେ ବ୍ରିଟେନର ଜୋଶୁଆ ବ୍ରେଗ୍‌ମେନ୍‌(୩୪) ନାମକ ଜଣେ ବ୍ୟକ୍ତି ନେପାଳସ୍ଥିତ ହିମାଳୟ ପର୍ବତର ୫,୭୧୭ ମିଟର (୧୮,୭୫୩ ଫୁଟ) ଉଚ୍ଚରୁ ସଫଳତାର ସହ ସ୍କାଇ-ବେସ୍‌ ଜମ୍ପ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସର୍ବୋଚ୍ଚ ଉଚ୍ଚତାରୁ ସ୍କାଇ-ବେସ୍‌ ଜମ୍ପ କରିଥିବାରୁ ତାଙ୍କର ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନିତ ହୋଇଛି। ୨୦୧୯ରୁ ଫ୍ରାନ୍ସର ମାଥିଆସ ଗିରୌଦ୍‌ଙ୍କ ନାମରେ ଏହି ରେକର୍ଡ ରହିଆସିଥିଲା।
ସ୍କାଇ-ବେସ୍‌ ଜମ୍ପିଂରେ ଉଭୟ ସ୍କାଇଂ ଏବଂ ବେସ୍‌ ଜମ୍ପିଂ କ୍ରୀଡ଼ା ଏକତ୍ର ଭାବେ ହୋଇଥାଏ। ଏଥିରେ ବ୍ୟକ୍ତି ପ୍ରଥମେ କିଛି ଦୂର ପାଇଁ ପର୍ବତ ଉପରେ ସ୍କାଇଂ କରନ୍ତି ଏବଂ ତା’ପରେ ସେଠାରୁ ଡେଇଁପଡ଼ନ୍ତି। ସର୍ବଦା ଦୁଃସାହସିକ କାର୍ଯ୍ୟକୁ ଭଲ ପାଉଥିବା ଜୋଶୁଆ ସ୍କାଇଂ କରିବା ପରେ ପାରାଶୁଟ୍‌ ବ୍ୟବହାର କରି ଶନିବାର ଭୂମିରେ ଅବତରଣ କରିଛନ୍ତି। ଏହି ବିଶ୍ୱ ରେକର୍ଡ ଦ୍ୱାରା ମିଳିଥିବା ଅର୍ଥ ମାଧ୍ୟମରେ ଜୋଶୁଆ ନେପାଳରେ ମାନବ ଚାଲାଣ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଜୋଶୁଆ କହିଛନ୍ତି, ଏହି ରେକର୍ଡ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଓ ତାଙ୍କର ସହଯୋଗୀମାନଙ୍କୁ ଗତ ୨ ସପ୍ତାହ ଧରି କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଅମ୍ଳଜାନର ଅଭାବ, ନିରନ୍ତର ମୁଣ୍ଡବିନ୍ଧା ଏବଂ ପ୍ରାୟ ୬ ହଜାର ମିଟର ଉଚ୍ଚରେ ଶୋଇବା ଯୋଗୁ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା।

Share