Categories: ଖେଳ

ଋତୁରାଜ ଗାଏକ୍ୱାଡ୍‌ଙ୍କ ବିଶ୍ୱ ରେକର୍ଡ

ଅହମ୍ମଦାବାଦ,୨୯ା୧୧(ପି.ଟି.):ବିଜୟ ହଜାରେ ଟ୍ରଫିରେ ଗୋଟିଏ ଓଭରରେ ୪୩ ରନ୍‌ ସଂଗ୍ରହ କରିବା ସହିତ ବିଶ୍ୱ ରେକର୍ଡ କରିଛନ୍ତି ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌। ସୋମବାର ଗୋଟିଏ ଓଭରରେ ୭ ଛକା ମାରିବା ସହିତ ଲିଷ୍ଟ ଏ ରେକର୍ଡ ନିଜ ନାମରେ କରିଛନ୍ତି। ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ର ୪୯ତମ ଓଭରରେ ସ୍ପିନର ଶିବା ସିଂଙ୍କୁ ସେ ୭ ଛକା ମାରିଥିଲେ। ଗୋଟିଏ ଓଭରରେ ୪୩ ରନ୍‌ ସଂଗ୍ରହ କରିବା ସହିତ ସେ ବ୍ରେଟ୍‌ ହାମ୍ପଟନ୍‌ ଓ ଜୋ କାର୍ଟରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ୨୦୧୮ ଫୋର୍ଡ ଟ୍ରଫିରେ ଉଭୟ ଓ୍ବିଲେମ ଲୁଡିକଙ୍କ ଓଭରରେ ଏହି ରନ୍‌ କରିଥିଲେ। ବାମହାତୀ ସ୍ପିନର ଶିବା ନିଜ ଓଭରର ୫ମ ବଲରେ ଏକ ନୋ ବଲ୍‌ ମଧ୍ୟ ପକାଇଥିଲେ। ଓପ୍‌ନର ଭାବେ ବ୍ୟାଟିଂ ପାଇଁ ଆସିଥିବା ଗାଏକ୍ୱାଡ୍‌ ଇନିଂସ ଶେଷପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ବେଳେ ୧୫୯ ବଲ ଖେଳି ୨୨୦ ରନ୍‌ କରିଥିଲେ। ଏହି ଇନିଂସରେ ୧୦ ଚୌକା ଓ ୧୬ ଛକା ସାମିଲ ଥିଲା। ଶିବାଙ୍କ ପ୍ରଥମ ବଲ୍‌ ଲୋ ଫୁଲଟସ୍‌ ରହିଥିବା ବେଳେ ଏହାକୁ ମିଡ୍‌ ଉଇକେଟ୍‌ ଉପରେ ଛକା ମାରିଥିଲେ ଗାଏକ୍ୱାଡ୍‌। ଦ୍ୱିତୀୟ ବଲକୁ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ଛକା, ତୃତୀୟ ବଲ୍‌ଟି ଡିପ୍‌ ସ୍କୋୟାର ଲେଗ୍‌ ଉପରେ ଓ ୪ର୍ଥ ବଲ୍‌କୁ ଲଙ୍ଗ ଅଫ୍‌ରେ ଛକା ମାରିଥିଲେ ଗାଏକ୍ୱାଡ୍‌। ପଞ୍ଚମ ବଲଟି ନୋ ରହିଥିବା ବେଳେ ଏହା ମଧ୍ୟ ଲଙ୍ଗଅଫ୍‌ରେ ଛକା ମାରିଥିଲେ ଋତୁରାଜ। ଫ୍ରି ହିଟ୍‌କୁ ଲଙ୍ଗ ଅନ୍‌ରେ ଛକା ମାରିବା ସହିତ ଅନ୍ତିମ ବଲକୁ ମିଡ୍‌ ଉଇକେଟ୍‌ ଉପରେ ଛକାମାରି ରେକର୍ଡ କରିଥିଲେ ଋତୁରାଜ। ଏହାସହିତ ୬ ବଲରେ ୬ ଛକା ମାରି ଏକ୍ସକ୍ଲ୍ୟୁସିଭ୍‌ କ୍ଲବରେ ମଧ୍ୟ ସାମିଲ ହୋଇଛନ୍ତି। ସାର ଗ୍ୟାରିଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ, ହରଶ୍ଚେଲ ଗିବ୍ସ, ଯୁବରାଜ ସିଂ, ରସ୍‌ ହ୍ବିଟଲି, ହଜରତଉଲ୍ଲା ଜଜାଇ, ଲିଓ କାର୍ଟର, କିରନ ପୋଲାର୍ଡ ଏବଂ ଥିସାରା ପରେରା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।

Share