ଜାତିସଂଘରେ ମୋଦିଙ୍କ ଯୋଗ କାର୍ଯ୍ୟକ୍ରମର ବିଶ୍ୱ ରେକର୍ଡ

ନ୍ୟୁୟର୍କ, ୨୨ା୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ବୁଧବାର ନ୍ୟୁୟର୍କସ୍ଥିତ ଜାତିସଂଘ ଭବନରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଯୋଗ ସମସ୍ତ କପିରାଇଟ୍‌, ପ୍ୟାଟେଣ୍ଟ ଏବଂ ରୟାଲିଟିରୁ ମୁକ୍ତ। ଏହା ଜୀବନଧାରଣର ଏକ ମାର୍ଗ। ଏହାର କୌଣସି କଠୋର ନିୟମ ନାହିଁ। ଆପଣ ଚାହିଁଲେ ଏକାକୀ ଯୋଗ କରିପାରିବେ କିମ୍ବା କେତେଜଣଙ୍କ ସହ ମିଶି ଏକାଠି ଯୋଗାଭ୍ୟାସ କରିପାରିବେ। ଆପଣ କୌଣସି ଗୁରୁଙ୍କଠାରୁ କିମ୍ବା ନିଜକୁ ନିଜେ ଯୋଗ ଶିକ୍ଷା କରିପାରିବେ। ଏହା ଏକୀକୃତ ଏବଂ ବାସ୍ତବରେ ସାର୍ବଜନୀନ। ଯୋଗ ସବୁ ଜାତି, ବିଶ୍ୱାସ ଓ ସଂସ୍କୃତି ପାଇଁ ଉଦ୍ଦିଷ୍ଟ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଏକସଙ୍ଗେ ୧୩୫ ଦେଶର ଜନସାଧାରଣ ଯୋଗ କାର୍ଯ୍ୟକ୍ରମରେ ଭାଗନେଇଥିବାରୁ ଏହା ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ମୋଦିଙ୍କ ସହ ଜାତିସଂଘ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗୀ, କୂଟନୀତିଜ୍ଞ, ଶିକ୍ଷାବିତ୍‌, ଟେକ୍ନୋକାର୍ଟ ଏବଂ ରାଜନେତା ଏକାଠି ଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ନ୍ୟୁୟର୍କ ମେୟର, ତିନିଥର ଗ୍ରାମୀ ପୁରସ୍କାର ଜିତିଥିବା ରିକି କେଜ୍‌, ଗାୟିକା ଫାଲ୍‌ଗୁନି ଶାହା, ଅଭିନେତା ରିଚାର୍ଡ ଗେରେ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅନ୍ୟତମ।

Share