Categories: ଜାତୀୟ

ରୁଷିଆରେ ଚାକିରି ମିଳିବ କହି ଭାରତୀୟଙ୍କୁ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କରାଯାଉଛି ବାଧ୍ୟ !

ନୂଆଦିଲ୍ଲୀ,୮।୩: ବିଦେଶରେ ଚାକିରି କରାଇବାର ଆଶା ରଖିଥିବା ଭାରତୀୟ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଭିନ୍ନ ଧରଣର ଠକେଇ କରାଯାଉଛି। ନିଯୁକ୍ତି ନାମରେ ଯୁବକଙ୍କୁ ରୁଷିଆ ନିଆଯାଇ ସେଠାରେ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କୁହାଯାଉଛି। ଏଭଳି ଅନେକ ମାମଲା ଆସିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି। ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବକଙ୍କୁ ନେଇଯାଇଥିବା ଠକ ଏଜେଣ୍ଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ଟି ସହରରେ ଚଢ଼ାଉ କରି ଭାରତୀୟଙ୍କୁ ରୁଷିଆ ଚାଲାଣ କରୁଥିବା ର଼୍ୟାକେଟ୍‌ର ପର୍ଦ୍ଦାଫାସ୍‌ କରିବା ପରେ ସରକାରଙ୍କ ପକ୍ଷରୁ ବିବୃତି ଜାରି ହୋଇଛି। ବିଭିନ୍ନ ଏଜେଣ୍ଟଙ୍କ ବିରୋଧରେ ମାନବ ଚାଲାଣ ନେଇ ମାମଲା ରୁଜୁ ହୋଇଛି।
ସିବିଆଇ ସୂଚନା ଅନୁଯାୟୀ, ୩୫ ଭାରତୀୟଙ୍କୁ ରୁଷିଆ ଏବଂ ୟୁକ୍ରେନ୍‌କୁ ପଠାଯାଇଥିଲା। ତେବେ ସମସ୍ତଙ୍କୁ ଯୁଦ୍ଧରେ ନିୟୋଜିତ ହେବାକୁ ବାଧ୍ୟ କରାଯାଇଛି କି ନାହିଁ, ତାହା ଜଣାପଡ଼ିନାହିଁ। ରୁଷିଆରେ ଫସିଥିବା ଅନୂ୍ୟନ ୨୦ ଜଣ ଭାରତୀୟ ସେମାନଙ୍କ ମୁକ୍ତି ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପୂର୍ବରୁ କହିଥିଲା।

Share