Categories: ଫୁରସତ

ବିଶ୍ୱ ମସ୍ତିଷ୍କାଘାତ ଦିବସ

ବ୍ୟସ୍ତ ବହୁଳ ଜୀବନଶୈଳୀ ହିଁ ଏବେ ସାରା ପୃଥିବୀରେ ମସ୍ତିଷ୍କାଘାତ ବା ଷ୍ଟ୍ରୋକ ଆଶଙ୍କାକୁ ବଢାଇ ଚାଲିଛି। ପୂର୍ବରୁ କେବଳ ବୟସ୍କଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଥିବାବେଳେ ଏବେ ଯୁବବର୍ଗ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ବ୍ୟକ୍ତି ଷ୍ଟ୍ରୋକର ଆକ୍ରାନ୍ତ ହୁଅନ୍ତି ଏବଂ ପ୍ରାୟ ୫୦ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ। ତେବେ ସଚେତନତା ହିଁ ଏହାର ନିଦାନ। ଏହା ଦ୍ୱାରା ୯୦ ପ୍ରତିଶତ ଷ୍ଟ୍ରୋକ ମୃତ୍ୟୁକୁ ରୋକା ଯାଇ ପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ପ୍ରତିରୋଧ ଏବଂ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଆଉ ଷ୍ଟ୍ରୋକ୍‌ ପୀଡିତଙ୍କ ପାଇଁ ଉତ୍ତମ ଯତ୍ନ ଯୋଗାଇଦେବା ଲାଗି ପ୍ରତିବର୍ଷ ବିଶ୍ୱ ମସ୍ତିଷ୍କାଘାତ ଦିବସ ବା ଓ୍ବାଲର୍‌ଡ ଷ୍ଟ୍ରୋକ ଡେ’ ପାଳନ କରାଯାଉଛି।
ଅକ୍ଟୋବରରେ ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ କରାଯାଏ। ୨୦୦୪ ମସିହାଠାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ବିଶ୍ୱ ଷ୍ଟ୍ରୋକ କଂଗ୍ରେସ ଏହି ଦିନ କାନାଡାରେ ପାଳନ କରିଥିଲା। ୨୦୦୬ରେ ଏହାର ଜନସଚେତନତା ପାଇଁ ଘୋଷଣା କରାଯାଇଥିଲା। ଆଉ ଏହି ବର୍ଷ ୱାଲର୍‌ଡ ଷ୍ଟ୍ରୋକ ଫେଡେରେଶନ ଏବଂ ଅନ୍ତର୍ଜାତୀୟ ଷ୍ଟ୍ରୋକ ସୋସାଇଟିର ମିଶ୍ରଣ ସହିତ ୱାଲର୍‌ଡ ଷ୍ଟ୍ରୋକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ୱାଲର୍‌ଡ ଷ୍ଟ୍ରୋକ ଅର୍ଗାନାଇଜେଶନ (ଡବ୍ଲ୍ୟୁଏସଓ) ବିଭିନ୍ନ ପ୍ଲାଟଫର୍ମରେ ୱାଲର୍‌ଡ ଷ୍ଟ୍ରୋକ ଡେ (ଡବ୍ଲ୍ୟୁଏସଡି) ପାଳନ କରିଆସୁଛି।
ତେବେ ସଚେତନତା ଅଭାବରୁ ଷ୍ଟ୍ରୋକର ନିରାକରଣ ଏବଂ ଚିକିତ୍ସାର ଆବଶ୍ୟକ ପରିଚାଳନା ନ ହେବା ଦ୍ୱାରା ମୃତ୍ୟୁହାର ବଢ଼ିବାରୁ ୨୦୧୦ରେ ବିଶ୍ୱ ଷ୍ଟ୍ରୋକ ସଂଗଠନ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।
ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଦିବସ ଅବସରରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ରହିଛି, ସମ୍ମିଳିତ ଭାବେ ଉଦ୍ୟମ କଲେ ଆମେ ଷ୍ଟ୍ରୋକକୁ ଜିତିପାରିବା।

Share