ନୂଆଦିଲ୍ଲୀ, ୨୭।୫: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ଶିପ୍ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରନ୍ତି। ଏହି ବିରଳ ରେକର୍ଡର ଅଧିକାରୀ ହେବା ପାଇଁ ଅଶ୍ୱିନଙ୍କୁ ଆସନ୍ତା ୧୮ ତାରିଖଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଡବ୍ଲ୍ୟୁଟିସି ଫାଇନାଲରେ ମାତ୍ର ୪ ଉଇକେଟ ଦରକାର।
ଡବ୍ଲ୍ୟୁଟିସିରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ଏବେ ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ନାମରେ ରହିଛି। ୧୪ ମ୍ୟାଚ୍ରେ କୁମିନ୍ସ ହାତେଇଛନ୍ତି ୭୦ଟି ଉଇକେଟ। ତାଲିକାରେ ୬୭ ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଶ୍ୱିନ (୧୩ ମ୍ୟାଚ୍)। ତାଙ୍କ ବ୍ୟତୀତ ଫାଇନାଲ ଖେଳୁଥିବା ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ (୫୧ ଉଇକେଟ) ମଧ୍ୟ ତାଲିକାରେ ରହିଛନ୍ତି। କିନ୍ତୁ ତାଙ୍କୁ ଫାଇନାଲରେ ୨୦ ଉଇକେଟ ନେବାକୁ ପଡ଼ିବ, ଯାହାକି ଅସମ୍ଭବ ମନେ ହେଉଛି।
ଅଶ୍ୱିନ ଡବ୍ଲ୍ୟୁଟିସିର ୯ ମ୍ୟାଚ୍ ଭାରତରେ ଖେଳିଥିବାବେଳେ ଅଷ୍ଟ୍ରେଲିଆରେ ୩ଟି ଓ ନ୍ୟୁଜିଲାଣ୍ଡରେ ଖେଳିଛନ୍ତି ଗୋଟିଏ ଟେଷ୍ଟ। ଭାରତରେ ୫୨ଟି ଉଇକେଟ ନେଇଥିବା ବରିଷ୍ଠ ସ୍ପିନର ଅଷ୍ଟ୍ରେଲିଆରେ ହାତେଇଥିଲେ ୧୨ ଉଇକେଟ।