Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଚେନ୍ନାଇ, ୧୭।୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନରେ ହରାଇବା ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚେପକ୍‌ରେ ବିଜୟ ଦ୍ୱାରା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ ସ୍ଥିତିକୁ ଆଣିଥିବା ଭାରତ ମୋଟ ୪୬୦ ପଏଣ୍ଟ ଏବଂ ୬୯.୭ ପର୍ସେଣ୍ଟେଜ ଅଫ୍‌ ପଏଣ୍ଟ୍ସ (ପିସିଟି) ସହିତ ଏହି ସଫଳତା ପାଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜୁନ୍‌ରେ ଲଡର୍‌ସରେ ଅନୁଷ୍ଠିତ ହେବ। ଟେବୁଲର ଶୀର୍ଷରେ ରହି ନ୍ୟୁଜିଲାଣ୍ଡ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ନ୍ୟୁଜିଲାଣ୍ଡ ୭୦.୦ ପିସିଟି ଏବଂ ମୋଟ ୪୨୦ ପଏଣ୍ଟ ପାଇଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ୨୨୭ ରନରେ ହାରିଥିବାରୁ ଭାରତ ଏକ ବିଜୟ ନିହାତି ଆବଶ୍ୟକ କରୁଥିଲା। ଫାଇନାଲରେ ପ୍ରବେଶ କରିବାକୁ ହେଲେ ପରବର୍ତ୍ତୀ ୨ଟି ଟେଷ୍ଟକୁ ଅତିକମ୍‌ରେ ଡ୍ର ରଖିବାକୁ ପଡ଼ିବ। ଡବ୍ଲ୍ୟୁଟିସିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏବେ ୬ଷ୍ଠ ସିରିଜ ଖେଳୁଛି। ଏଥିରେ ୧୦ ଟେଷ୍ଟରେ ବିଜୟୀ ହୋଇଥିବାବେଳେ ୪ଟି ହାରିଛି ଏବଂ ଗୋଟିଏ ଡ୍ର ରଖିଛି। ଅଷ୍ଟ୍ରେଲିଆ ୬୯.୨ ପିସିଟି ଏବଂ ୩୩୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ୬୭.୦ ପିସିଟି ଏବଂ ୪୪୨ ପଏଣ୍ଟ ସହିତ ୪ର୍ଥ ସ୍ଥାନକୁ ଖସିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଦିବାରାତ୍ର ଟେଷ୍ଟ ଚଳିତ ମାସ ୨୪ରୁ ଅହମ୍ମଦାବାଦରେ ଆରମ୍ଭ ହେବ।

Share